ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳ ଷ୍ଟେସନ୍‌ ବଜାରରେ ଥିବା ସଚେତନ ନିଶା ନିବାରଣ କେନ୍ଦ୍ରରେ ଆଜି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ତାଙ୍କୁ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ଯୁବକ ଆନନ୍ଦପୁର ଥାନା ଫକିରପୁର ଗ୍ରାମର ସୁଦାମ ମଲ୍ଲିକଙ୍କ ପୁଅ ଜୀବନ (୨୫)। ଏ ସଂପର୍କରେ ଜୀବନଙ୍କ ବାପା ସୁଦାମ ଯାଜପୁରରୋଡ୍‌ ଥାନାରେ ପୁଅକୁ ପିଟି ମାରିଦେଇଥିବା ଅଭିଯୋଗ କରିଥିବାବେଳେ କେସ୍‌ ନଂ ୪୫୪/୨୫, ବିଏନ୍‌ଏସ୍‌ ୧୦୯ (୧), ୩ (୫), ଅନୁସୂଚିତ ଜାତି ଜନଜାତି ଦଫାରେ ମାମଲା ରୁଜୁ ହୋଇଛି। ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ସଚେତନ ନିଶା ନିବାରଣ କେନ୍ଦ୍ରରେ ତଦନ୍ତ କରିଛନ୍ତି। ଡିଏସ୍‌ପି ରତିକାନ୍ତ ଗିରି ଉକ୍ତ ମାମଲାର ତଦନ୍ତ ଭାର ନେଇଛନ୍ତି। ଆସନ୍ତାକାଲି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଆଶିଷ ସାହୁ ସୂଚନା ଦେଇଛନ୍ତି। 

Advertisment

ଏହି ଘଟଣା ପରେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜୀବନଙ୍କୁ ଡାକ୍ତରଖାନା ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୀବନଙ୍କ ବାପା ସୁଦାମଙ୍କ କହିବାନୁସାରେ, ଗତ ମଙ୍ଗଳବାର ସେ ପୁଅକୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ଆଜି ସକାଳ ୧୦ଟା ବେଳେ ପୁଅ ଦେହ ଖରାପ ଅଛି, ଯାଜପୁରରୋଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ଖବର ଦିଆଯାଇଥିଲା। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ପୁଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ସଂସ୍ଥାର ମାଲିକ ଉପେନ୍ଦ୍ର ସାହୁଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ କଟକରେ ଅଛି ବୋଲି କହି ପୁଅ ସାଙ୍ଗରେ କଥା ହେବାକୁ କହିଥିଲେ। ଶ୍ରୀ ସାହୁଙ୍କ ପୁଅ ରିଙ୍କୁଙ୍କୁ ପଚାରିବାରୁ ଗତକାଲି ରାତିରେ ଜୀବନଙ୍କର ବାତ ବାହାରିଥିଲା, ଆଜି ଡାକ୍ତରଖାନା ଆଣିଥିଲୁ ବୋଲି କହିଥିଲେ। ହେଲେ ତାଙ୍କ କଥାରେ ତାଳମେଳ ନ ଥିବାରୁ ସନ୍ଦେହ ହୋଇଥିଲା। ଜୀବନଙ୍କୁ ପରିବାର ଲୋକେ ପାଞ୍ଚଦିନ ତଳେ ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଖାଇବା, ପିଇବା ଓ ଔଷଧ ବାବଦକୁ ୮ ହଜାର ଟଙ୍କା ସଂସ୍ଥାର ମାଲିକ ଉପେନ୍ଦ୍ରଙ୍କୁ ଦେଇଥିଲେ ବୋଲି ସୁଦାମ କହିଛନ୍ତି। ନିଶା ନିବାରଣ କେନ୍ଦ୍ରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବାକୁ ଦାବି ହେଉଛି। ଦେହରେ କ୍ଷତ ଚିହ୍ନ ଥିବାରୁ ପୁଅକୁ ପିଟି ମାରିଦେଇଛନ୍ତି ବୋଲି ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ମୃତ ଜୀବନଙ୍କର ବର୍ଷକର ପୁଅଟିଏ ଅଛି।