ଝାରସୁଗୁଡ଼ା/ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାରପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇଛି। ମୃତକ ହେଲେ ଗାଁର ବିପିନ ଭୋଇ (୨୫)। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଗାଁର ସତିଆ କିସାନ (୪୫), ସ୍ତ୍ରୀ ସୁକାନ୍ତି କିସାନ (୪୦) ଓ ବଡ଼ପୁଅ ରାଜା କିସାନ (୨୦)କୁ ଗିରଫ କରିଥିବା ବେଳେ ନାବାଳକ ମଝିଆ ପୁଅକୁ ଅଟକ ରଖିଛି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ହତ୍ୟାରେ ବ୍ୟବହୃତ ଲାଠି ଜବତ କରିଛି।
ପୁଲିସ୍ ସୂଚନାନୁସାରେ, ଗତକାଲି ଅଭିଯୁକ୍ତ ରାଜା ଶ୍ରମିକ କାମ କରିବାକୁ ଯାଇ ସନ୍ଧ୍ୟା ଯାଏ ଘରକୁ ଫେରି ନଥିଲା। ଫଳରେ ରାତି ପ୍ରାୟ ୯ଟା ବେଳେ ସୁକାନ୍ତି ୧୨ ବର୍ଷର ସାନ ପୁଅ ଅଜୁକୁ ନେଇ ରାଜାକୁ ଖୋଜିବାକୁ ବାହାରିଥିଲେ। ଏହି ସମୟରେ ଗାଁ ବଜାରପଡ଼ାରେ ବିପିନ ଛିଡ଼ା ହୋଇଥିଲେ। ସେଠାରେ ସୁକାନ୍ତି ପହଞ୍ଚି ରାଜା ସମ୍ପର୍କରେ ପଚାରିବାରେ ବିପିନ କୌଣସି ଉତ୍ତର ନ ଦେଇ ଓଲଟା ଅଜୁକୁ ଠେଲି ଦେଇଥିଲେ। ସୁକାନ୍ତି ଏହାର ପ୍ରତିବାଦ କରିବାରୁ ବିପିନ ଉତ୍ତ୍ୟକ୍ତ ହୋଇ ତାଙ୍କୁ ବି ଠେଲାପେଲା କରିଥିଲେ। ଫଳରେ ସୁକାନ୍ତି ନିକଟରେ ଥିବା ଚିପ୍ସ ଗଦାରେ ପଡ଼ିଯାଇଥିଲେ। ଏହା ଦେଖି ଅଜୁ ଭୟଭୀତ ହୋଇ ‘ମୋ ମା’କୁ ମାରିଦେଉଛି’ ବୋଲି ଚିତ୍କାର କରି ଘରକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲା।
ପରେ ସତିଆ ଓ ତାଙ୍କ ନାବାଳକ ମଝିଆ ପୁଅ ଘଟଣାସ୍ଥଳକୁ ଆସି ବିପିନଙ୍କୁ ବିରୋଧ କରିଥିଲେ। ଏହି ସମୟରେ ରାଜା ବି ସେଠାରେ ପହଞ୍ଚି ଯାଇଥିଲା। ୪ ଜଣ ମିଶି ସଂଘବଦ୍ଧ ଭାବେ ଲାଠିରେ ବିପିନଙ୍କୁ ଆକ୍ରମଣ କରିଥିଲେ। କାନମୁଣ୍ଡା ଓ ବେକରେ ଆଘାତ ଲାଗିବା ଫଳରେ ବିପିନ ଘଟଣାସ୍ଥଳରେ ଟଳି ପଡ଼ିଥିଲା। ବହୁ ସମୟ ପର୍ଯ୍ୟନ୍ତ ସେ ନଉଠିବାରୁ ସୁକାନ୍ତିଙ୍କ ପରିବାର ଲୋକେ ବିପିନଙ୍କ ସ୍ତ୍ରୀ ସୁନେଲି ଭୋଇଙ୍କୁ ଜଣାଇଥିଲେ। ସୁନେଲି ଗାଁ ଲୋକଙ୍କୁ ଜଣାଇବା ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ରାତି ପ୍ରାୟ ୪ଟା ହୋଇସାରିଥିଲା। ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବିପିନଙ୍କ ମୃତ୍ୟୁ ହୋଇସାରିଥିଲା।