ବଲାଙ୍ଗୀର : ବଲାଙ୍ଗୀରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କିଛି ଦୁର୍ବୃତ୍ତ ମଙ୍ଗଳବାର ରାତିରେ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍‌ ପ୍ଲାଟିନମ୍‌ ଜୁବ୍‌ଲି ଗେଟ୍‌ ଓ ପାଚେରିରେ ଲଗାଯାଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମାଷ୍ଟରପ୍ଲାନ ଫଳକକୁ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟିକରିଛି। ଏକ ପ୍ରସିଦ୍ଧ ଶିକ୍ଷାକ୍ଷେତ୍ର ଭାବେ ସମଗ୍ର ରାଜ୍ୟରେ ପରିଚିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଏଭଳି ଘଟଣା ସ୍ପୃହଣୀୟ ନୁହେଁ ବୋଲି ଶିକ୍ଷକ,ଛାତ୍ର ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Advertisment

ଆଜି ସକାଳେ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟକୁ ଆସି ଏଭଳି କାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ। ତେବେ ବିଶ୍ବବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଠିକ ନ ଥିବାରୁ ଏଭଳି ଘଟଣା ଘଟିଲା ଓ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଆବଶ୍ୟକୀୟ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ  ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ମହଲରୁ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୯ ମସିହା ଡିସେମ୍ବର ମାସରେ ୭୫ ବର୍ଷ ପୂର୍ତ୍ତି ଅବସରରେ ନୂତନ ଗେଟ୍‌କୁ ଲୋକାର୍ପଣ କରାଯାଇଥିଲା। ସେହି ଗେଟ୍‌ର ଉଚ୍ଚରେ ଲାଗିଥିବା ଘଣ୍ଟା, କାନ୍ଥରେ ଲାଗିଥିବା ବିଶ୍ବବିଦ୍ୟାଳୟର ମାନଚିତ୍ର ଓ ଲୋଗ ଆଦିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।