ସାଲେପଡ଼ା ସଙ୍ଗରୋଧ ଗୃହ ଗେଟ୍‌ ଭାଙ୍ଗିଲେ ଯୁବକ, କାମ କରୁଥିବା ଲୋକଙ୍କୁ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଖଗସା ପଞ୍ଚାୟତ ଅନ୍ତର୍ଗତ ସାଲେପଡ଼ାସ୍ଥିତ ସଙ୍ଗରୋଧ ଗୃହର ଗେଟ୍‌କୁ ଭାଙ୍ଗିଦେଇ ସେଠାରେ କାମ କରୁଥିବା ଶ୍ରମିକମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗାଁର ଶିବ ମାହାର ନାମକ ଜଣେ ଯୁବକଙ୍କ ବିରୋଧରେ ଖଗସା ସରପଞ୍ଚ ସୁଦର୍ଶନ କଟା ଥାନାରେ ଏତଲା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାଲେପଡ଼ା ୟୁଜି ହାଇସ୍କୁଲରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତି କାମ ତଦାରଖ କରିବାକୁ ସୋମବାର ସରପଞ୍ଚ ଶ୍ରୀ କଟା ଯାଇଥିଲେ। ସେହି ସମୟରେ ଗାଁର ନାଥ ମାହାରଙ୍କ ପୁଅ ଶିବ ସ୍କୁଲ ଭିତରକୁ ପଶି ସେଠାରେ ରଂଗ କାମ କରୁଥିବା ଜଗନ୍ନାଥ ସଗ୍ରିଆ, ଗଣେଶ କଟା, ନୀଳାମ୍ବର କଟା, ଦେବ ସିଂ ବାଗ, ରମେଶ ପୁଞ୍ଜିଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଲୁହା ଗେଟ୍‌ ଭାଙ୍ଗି ଦେଇଥିଲେ। କୌଣସି ପ୍ରବାସୀ ଓଡ଼ିଆ ଏଠାକୁ ଆସି ରହିଲେ ତାଙ୍କୁ ମଧ୍ୟ ମାଡ଼ ମାରିବେ ବୋଲି ସେ ଧମକ ଦେଇଥିଲେ। ପୂର୍ବରୁ ମଧ୍ୟ ଶିବ ଖଗସାରେ ତିଆରି ହୋଇଥିବା ସଂଗରୋଧ ଗୃହକୁ ପଶି କାର୍ଯ୍ୟରତ ଜଗୁଆଳିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏ ନେଇ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କୁ ପଚାରିବାରୁ ଅଭିଯୁକ୍ତ ଶିବଙ୍କୁ ଖୋଜା ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର