ବରଗଡ଼: ବରଗଡ଼ ପଞ୍ଚାୟତ କଲେଜ ନିକଟରେ ଦେବରାଜ ପାଣିଗ୍ରାହୀ (୪୫) ନାମକ ଜଣେ ଯୁବକଙ୍କୁ ହତ୍ୟା କରି କେହି ମାଟିରେ ପୋତି ଦେଇଥିଲା। ମୃତଦେହର କିଛି ଅଂଶ ବାହାରକୁ ଦିଶୁଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ତଦନ୍ତ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ‌ ସୃଷ୍ଟି କରିଛି। 

Advertisment

ଶୁକ୍ରବାର ରାତିରେ ଦେବରାଜଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ଦେବରାଜଙ୍କ ମୁଣ୍ଡରେ ଇଟା ଓ ପଥରରେ ମାଡ଼ ହୋଇଛି। ଏହା ସହ ଶବକୁ ଏକ ବିଲ ଭିତରେ ପୋତି ଦିଆଯାଇଥିଲା। ମୃତକଙ୍କ ଜଣେ ମାତ୍ର ଭଉଣୀ ସଂଯୁକ୍ତା ଜୋତିଷ ରହିଛନ୍ତି। ସେ ଏକ ସ୍କୁଲରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି ଓ ସେହି ସ୍କୁଲରେ ହିଁ ରହନ୍ତି। ତେଣୁ ଦେବରାଜ ସାଇନ୍ସପାର୍କ ପାଖରେ ଥିବା ଘରେ ପ୍ରାୟତଃ ଏକୁଟିଆ ରହୁଥିଲେ। ଦେବରାଜ ଇଲେକ୍ଟ୍ରିସିଆନ୍‌ ଭାବେ କେବେ କେମିତି କାମ ପାଇଲେ କରୁଥିଲେ। କାହା ସହ ତାଙ୍କର ଶତ୍ରୁତା ନଥିଲା। ଈର୍ଷାଜନିତ କାରଣରୁ କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ତାଙ୍କ ଭଉଣୀ କହିଛନ୍ତି। କଣ ପାଇଁ ଘଟଣା ଘଟିଲା? କିଏ ଏହି ହତ୍ୟାକାଣ୍ଡ ଭିଆଇଲା? ବିଲରେ ପୋତି କେମିତି ଦୁର୍ବୃତ୍ତ ଫେରାର ମାରିଲା? ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି ବୋଲି ଏସ୍‌ଡିପିଓ ପି. ତ୍ରିପାଠୀ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଆଜି ତଦନ୍ତ ସମୟରେ ସାଇଣ୍ଟିଫିକ ଟିମ୍‌ ସହ ଏସ୍‌ଡିପିଓ ଶ୍ରୀ ତ୍ରିପାଠୀ, ଗ୍ରାମାଞ୍ଚଳ ଥାନା ଆଇଆଇସି, ଟାଉନ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।