ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ମହିଳାଙ୍କୁ ପୁଲିସର ପଚରାଉଚରା

ଜଗତସିଂହପୁର: ଜଗତସିଂହପୁରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କ ମୃତ୍ୟୁ ପଛରେ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ଯୁବତୀ ମଧୁଙ୍କୁ ପୁଲିସ୍ ଆଜି ବି ଜେରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୁଲିସ୍ ତାଙ୍କୁ କଟକରେ ଜେରା କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ଆଜି ଦାଆଗାଁ ନିଆଯାଇ ଜେରା କରାଯାଉଥିବାର ଖବର ମିଳିଛି। ପୂର୍ବରୁ ଏହି ହତ୍ୟା ଘଟଣାରେ ସନ୍ଦିଗ୍ଧ ମହିଳା ମଧୁଙ୍କ ବାପାଙ୍କୁ ଥାନାରେ ଅଟକ ରଖିବା ସହ ତାଙ୍କର ଦୁଇ ଭଉଣୀଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଥିଲା ।
ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁ ପ୍ରାଥମିକ ବିଦ୍ୟାଳୟର ବାତ୍ୟା ଆଶ୍ରୟସ୍ଥଳୀରେ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଜଣକ ନିଆଁରେ ଜଳିଯାଇଥିଲେ। ଅପମୃତ୍ୟୁ ମାମଲା ଦାୟର କରି ପୁଲିସ ଛାନଭିନ କରୁଥିବା ବେଳେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଯୁବକଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।
କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଅହମ୍ମଦାବାଦରେ କାମ କରୁଥିଲେ। ତାଙ୍କ ବାପା-ମା, ପତ୍ନୀ ଓ ତାଙ୍କର ଦୁଇ ବର୍ଷର ଝିଅ ଗାଁରେ ରହୁଥିଲେ। ବର୍ଷକ ତଳେ ଜଗତସିଂହପୁରର ବାଲିକୁଦାର ଜଣେ ମହିଳାଙ୍କ ସହ ଫେସବୁକ ମାଧ୍ୟମରେ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସଂପର୍କ ଏତେ ବଢ଼ି ଯାଇଥିଲା ଯେ କୃଷ୍ଣଚନ୍ଦ୍ର ଉକ୍ତ ମହିଳାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପୂଜା ଛୁଟିରେ ଘରକୁ ଆସିଥିବା କୃଷ୍ଣଚନ୍ଦ୍ର, ଶନିବାର ଦିନ ୧୨ଟାରୁ ଅହମ୍ମଦବାଦ ଯାଉଥିବା କହି ଘରୁ ବାହାରି ଆସିଥିଲେ, ହେଲେ ସେ ଜଗତସିଂହପୁରରେ ପହଞ୍ଚିଥିଲେ।


ତେବେ ବାଲିକୁଦାର ଏକ ବାତ୍ୟା ଆଶ୍ରୟସ୍ଥଳୀରୁ ଅଧା ଜଳିଥିବା ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଦେହରେ ପେଟ୍ରୋଲ ଢଳାଯାଇ ନିଆଁ ଲଗାଯାଇ ଥିବାରୁ କୃଷ୍ଣଚନ୍ଦ୍ରଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡି ଯାଇଥିଲା। ତାଙ୍କୁ ଲୋକେ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ କୃଷ୍ଣଚନ୍ଦ୍ରଙ୍କୁ ବଂଚାଇ ପାରି ନ ଥିଲେ। ତେବେ ଏହା ଆତ୍ମହତ୍ୟା ନୁହେଁ, ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ। ପ୍ରେମ ସଂପର୍କ ଥିବା ମହିଳା ହିଁ ଲୋକ ଲଗାଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର