ବଲାଙ୍ଗୀର : ସେୟାର ମାର୍କେଟ ନାଁରେ ୨୦ ଲକ୍ଷ ଟଙ୍କା ଠକେଇର ଶିକାର ହେବାପରେ ଜୀବନ ହାରିଛନ୍ତି ବିନୋଦ ଯାଦବ ନାମକ ଜଣେ ଯୁବକ। ସେ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ଗାଁସ୍ଥିତ ତାଙ୍କ ଶ୍ବଶୂର ଘରେ ଗତ ୨୦ ବର୍ଷ ହେଲା ରହିଆସୁଥିଲେ। ଏଠାରେ ସେ ବିଭିନ୍ନ କମ୍ପାନିର ସୁପରଭାଇଜର ଭାବେ କାମ ମଧ୍ୟ କରୁଥିଲେ। କୋଡ଼ିଏ ଲକ୍ଷ ଟଙ୍କା କ୍ଷତି ସହିବା ପରେ ଋଣ ପରିଶୋଧ ଚିନ୍ତାରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କିଛିବର୍ଷ ପୂର୍ବରୁ ବିନୋଦ ଦିଲ୍ଲୀରେ କାମ କରୁଥିବା ସମୟରେ ସେଠାରେ ଓମ୍ପ୍ରକାଶ ନାମକ ଜଣେ ବ୍ୟକ୍ତି ସହ ତାଙ୍କର ପରିଚୟ ହୋଇଥିଲା। ଚାରିମାସ ତଳେ ଓମ୍ପ୍ରକାଶ ବିନୋଦଙ୍କୁ ଫୋନ୍ କରି ସେୟାର ମାର୍କେଟରେ ଟଙ୍କା ନିବେଶ କଲେ ଦୁଇଗୁଣା ହେବ ବୋଲି ଲୋଭ ଦେଖାଇଥିଲେ। ଓମ୍ପ୍ରକାଶଙ୍କ କଥାରେ ପଡ଼ି ଅଧିକ ଟଙ୍କା ଆଶାରେ ବିନୋଦ ଲକ୍ଷ ଲକ୍ଷ ଟଙ୍କା ଜମା କରିବାକୁ ଲାଗିଲେ। ନିଜର ଗାଡ଼ି, ସୁନା ଅଳଙ୍କାର ସବୁ କିଛିକୁ ବନ୍ଧା ପକାଇ ଦଶ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ତା’ପରେ ସାଙ୍ଗସାଥୀ ବନ୍ଧୁ ପରିଜନଙ୍କଠାରୁ ଦଶ ଲକ୍ଷ ଟଙ୍କା ୧୦ ପ୍ରତିଶତ ସୁଧରେ କରଜ ଆଣିଥିଲେ। ମୋଟ୍ ୨୦ ଲକ୍ଷ ଟଙ୍କା ଓମ୍ପ୍ରକାଶଙ୍କ ଆକାଉଣ୍ଟରେ ଜମା କରିଥିଲେ। ଚାରିମାସ ପରେ ମଧ୍ୟ ଟଙ୍କା ଆସିନଥିଲା।
ଏ ସମ୍ପର୍କରେ ଓମ୍ପ୍ରକାଶଙ୍କୁ ପଚାରିବାରୁ ଦିଲ୍ଲୀ ଆସି ଚେକ୍ ନେଇ ଯିବାକୁ ସେ କହିଥିଲେ। ନୂଆଁଖାଇ ସମୟରେ ବିନୋଦ ଦିଲ୍ଲୀ ଯାଇ ଗତ ୧୧ ତାରିଖ ଦିନ ଫେରିଥିଲେ। ଓମ୍ପ୍ରକାଶଙ୍କ ପାଖରୁ ଆଣିଥିବା ଚେକ୍ ଜମା କରିବାକୁ ସେ ଗତ ୧୨ ତାରିଖ ଦିନ ଟିଟିଲାଗଡ଼ ଯାଇଥିଲେ। ଚେକ୍ ଜମା କରିବାପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାପରେ ଓମ୍ପ୍ରକାଶ ଆଉ ତାଙ୍କ ଫୋନକଲ୍ ରିସିଭ କରିନଥିଲେ। ଫଳରେ, ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ କରଜ କରିଥିବା ଟଙ୍କା ଶୁଝିବା ଚିନ୍ତାରେ ଗତକାଲି ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଖଡ଼ିଆଳ ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ, ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିନୋଦଙ୍କ ଜୀବନ ଚାଲିଯାଇଛି।
ବିନୋଦଙ୍କ ସ୍ତ୍ରୀ, ଜଣେ କଲେଜ ପଢୁଆ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେ ଟଙ୍କା ଜମା କରୁଥିବା ସମୟରେ ତାଙ୍କ ସ୍ତ୍ରୀ ମନା କରୁଥିଲେ। କିନ୍ତୁ, ରାତାରାତି ଅଧିକ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଆଗରେ ସେ କାହାରି କଥା ମାନିନଥିଲେ। ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସିନ୍ଧେକେଲା ଥାନା ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି। ଠକେଇରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ଜଣାପଡ଼ିବ। ଏବେ ମୃତ ବିନୋଦଙ୍କ ସ୍ତ୍ରୀ ରୋହିଣୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।