ହୀରାକୁଦରେ ଯୁବତୀଙ୍କ ଭିଡିଓ ଭାଇରାଲ ପରେ ଯୁବକଙ୍କ ରହସ୍ୟଜନକ ଆତ୍ମହତ୍ୟା

ମୁହଁ ଖୋଲୁନାହାନ୍ତି ପୁଲିସ ଓ କଂପାନି ଅଧିକାରୀ

ସମ୍ବଲପୁର : ହୀରାକୁଦର ଏକ ଶିଳ୍ପସଂସ୍ଥାରେ କାମ କରୁଥିବ‌ା ଜଣେ ଯୁବତୀ(୨୧)ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ସଂପୃକ୍ତ ଯୁବତୀଙ୍କ ଜଣେ ସହକର୍ମୀ ଯୁବକ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ଖେଳାଇ‌ ଦେଇଛି। ଉଭୟ ଘଟଣା ପରସ୍ପର ସହ ଜଡ଼ିତ ବୋଲି ଆଲୋଚନା ଚାଲିଥିବା ବେଳେ ପୁଲିସ ଏବିଷୟରେ ମୁହଁ ଖୋଲୁନି। ତେବେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ହିଁ କିଛି କୁହାଯାଇପାରିବ ବୋଲି ହୀରାକୁଦ ଥାନାଧିକାରୀ କହିଛନ୍ତି। ତେବେ ମୃତ ଯୁବକଜଣକ ଯୁବତୀଙ୍କ ସହ ଉକ୍ତ ଶିଳ୍ପସଂସ୍ଥାରେ କାମ କରୁଥିଲେ ମଧ୍ୟ ତାଙ୍କ ମୃତ୍ୟୁକାଳୀନ ରେକର୍ଡରେ ‘ବେକାର ଥିବା କାରଣରୁ ଆତ୍ମହତ୍ୟା’ ବୋଲି ଲେଖାଯିବା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି। କଂପାନି କର୍ତ୍ତୃପକ୍ଷ ଓ ପୁଲିସ ଘଟଣାରେ ବହୁତ କିଛି ଲୁଚାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ଉଠୁଛି।

ଭାଇରାଲ ଭିଡିଓରେ ଦେଖାଯାଉଥିବା ଯୁବତୀଜଣଙ୍କ ରାଉରକେଲା ଅଞ୍ଚଳର ବୋଲି ଆଲୋଚନା ହେଉଛି। ୧ ମିନିଟ ୨୨ ସେକେଣ୍ଡର ପ୍ରଥମ ଭିଡିଓ କ୍ଲିପ୍‌ କୌଣସି ଘର ଭିତରେ ଉତ୍ତୋଳନ କରାଯାଇଥିବା ସମୟରେ ଏଥିରେ ଯୁବତୀଙ୍କ ପୁରୁଷ ବନ୍ଧୁ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓ କୌଣସି ଟୟଲେଟରେ ସୁଟିଂ ହୋଇଥିବା କୁହାଯାଉଛି। ସେଥିରେ ଉଭୟ ଯୁବକ ଯୁବତୀଙ୍କ ଉଲଗ୍ନ ଚେହେରା ରହିଛି। ଯୁବତୀଙ୍କ ଚେହେରା ଉଭୟ ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି। ଯୁବକଙ୍କ କେବଳ ପଛପାର୍ଶ୍ବ ଦେଖାଯାଉଥିବାରୁ ତାଙ୍କର ସଠିକ୍‌ ପରିଚୟ ଜଣାପଡ଼ୁନାହିଁ। ମଙ୍ଗଳବାର ସନ୍ଧ୍ୟାରୁ ଏହି ଭିଡିଓ ସଂପୃକ୍ତ କମ୍ପାନିର କିଛି କର୍ମଚାରୀଙ୍କ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କିନ୍ତୁ କିଏ ଏହି ଭିଡିଓ ଉତ୍ତୋଳନ କରିଛି, କିଏ ଭାଇରାଲ କରିଛି ଏବଂ ଯୁବତୀଙ୍କ ସହ କିଏ ରହିଛି ସେ ସମ୍ପର୍କରେ ଜଣାପଡ଼ିନାହିଁ। ମାତ୍ର ଏହାପରେ ସହକର୍ମୀ ଯୁବକ ଗୁରୁବାର ସକାଳୁ ଆତ୍ମହତ୍ୟା କରିବା ପରେ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳି ଯାଇଛି। ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ରାଜନ ପୋଢ଼ (୨୨ ବର୍ଷ) ଓ ତାଙ୍କ ଘର ହୀରାକୁଦ ନିକଟ ମହମ୍ମଦପୁରରେ। ଗୁରୁବାର ଭୋରରୁ ଘର ଶୌଚାଳୟରେ ରାଜନ ଦଉଡ଼ି ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ସଙ୍ଗେସଙ୍ଗେ ଦଉଡ଼ି ଖୋଲି ତାଙ୍କୁ ପ୍ରଥମେ ହୀରାକୁଦ ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ।

ଏସମ୍ପର୍କରେ ବୁର୍ଲା‌ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବୁର୍ଲା ଥାନାରେ ଆତ୍ମହତ୍ୟାର କାରଣ ବେକାରୀ ସମସ୍ୟା ବୋଲି ଉଲ୍ଲେଖ ରହିଛି। କିନ୍ତୁ ରାଜନ ସ୍ଥାନୀୟ କଂପାନିର ମେକାନିକାଲ ବିଭାଗରେ କାର୍ଯ୍ୟରତ ଥିଲେ। ହୀରାକୁଦ ପୁଲିସ୍‌ ଏହି ଘଟଣାକୁ ମଧ୍ୟ ସ୍ପଷ୍ଟ କରିପାରୁନଥିବା ସମୟରେ ତଦନ୍ତ ପରେ ଏସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ କହିଛନ୍ତି। ଶୁଣିବାକୁ ମିଳୁଛି ଯେ ଭିଡିଓ ଭାଇରାଲ ଘଟଣା ପଛରେ ରାଜନଙ୍କ ହାତ ଥିବା ସନ୍ଦେହ କରି ବୁଧବାର ସନ୍ଧ୍ୟାରେ ତାଙ୍କୁ କିଛି ଅଧିକାରୀ ଓ ସହକର୍ମୀ ପଚରାଉଚରା କରିଥିଲେ। ପରେ ଲୋକଲଜ୍ଜାରେ ସେ ଆତ୍ମହତ୍ୟା କରିଥିବା ଏହି ସୂତ୍ର କହୁଛି। ତେବେ ରାଜନଙ୍କ ଘର ଲୋକ ଆତ୍ମହତ୍ୟା ଘଟଣା ନେଇ ମୁହଁ ଖୋଲୁନାହାନ୍ତି।

ଏସମ୍ପର୍କରେ ସଂପୃକ୍ତ କଂପାନିର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରେ କୌଣସି ଭାଇରାଲ ଭିଡିଓ ସମ୍ପର୍କରେ ସେ ଜାଣିନଥିବା କହିଥିଲେ। ତେବେ ଉପସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାଜନ ବୁଧବାର କଂପାନିର ମାନବ ସମ୍ବଳ ବିଭାଗକୁ ଆସିଥାଇପାରନ୍ତି ବୋଲି ସେ କହିଥିଲେ।

ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲେ ମଧ୍ୟ ସନ୍ଧ୍ୟାରେ ହୀରାକୁଦ ପୁଲିସ୍‌ ଭାଇରାଲ ଭିଡିଓ ସମ୍ପର୍କରେ କିଛି ଜାଣିନଥିବା କହିଛି। ଥାନା ଅଧିକାରୀ କହିଛନ୍ତି, ଏଭଳି କୌଣସି ଭିଡିଓ ତାଙ୍କର ହସ୍ତଗତ ହୋଇନାହିଁ। କେହି ଏସମ୍ପର୍କରେ ଅଭିଯୋଗ ମଧ୍ୟ କରିନାହାନ୍ତି ବୋଲି ସେ କହିଛନ୍ତି। ପୁଲିସର ଏଭଳି ଉତ୍ତର ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି।

ସମ୍ବନ୍ଧିତ ଖବର