ଚଳନ୍ତା ଟ୍ରକ୍‌ ତଳେ ମୁଣ୍ଡ ରଖି ଯୁବକଙ୍କ ଆତ୍ମହତ୍ୟା, ସିସିଟିଭିରେ କଏଦ୍‌ ହେଲା ଲୋମଟାଙ୍କୁରା ଦୃଶ୍ୟ

ନୂଆପଡ଼ା : ଚଳନ୍ତା ଟ୍ରକ୍‌ ଚକ ତଳେ ମୁଣ୍ଡ ରଖି ଶନିବାର ରାଜୁ ଶବର (୪୦) ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ଶନିବାର ଅପରାହ୍‌ଣରେ ସର୍ବସମ୍ମୁଖରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଏହି ଆତ୍ମହତ୍ୟା ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ବି କଏଦ୍‌ ହୋଇଛି। ନୂଆପଡ଼ା ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକତ୍ସାଳୟକୁ ନେଇଛି।

ଶନିବାର ଅପରାହ୍‌ଣରେ ନୂଆପଡ଼ା ଏନଏସି ୱାର୍ଡ ନଂ ୧୩ ମହୁଆଭଟା ଗ୍ରାମର ରାଜୁ ଶବର ନୂଆପଡ଼ା ଥାନା ସମ୍ମୁଖକୁ ଆସିଥିଲେ। ୩୫୩ ନମ୍ବର ଜାତୀୟ ରାଜପଥରେ ୪ଟା ୧୫ରେ ଠିଆ ହୋଇଥିଲେ। ଏହି ସମୟରେ ଖରିଆର ରୋଡ଼ ଅଭିମୁଖେ ଏପି ୩୯ ପି ୪୫୭୯ ନମ୍ବର ଥିବା ଟ୍ରକ ଯାଉଥିଲା। ରାଜୁ ଶବର ଉଭୟ ପାର୍ଶ୍ବକୁ ଦେଖି ଟ୍ରକ୍‌ର ପଛ ଚକ ତଳେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଫଳରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ଘଟିଥିଲା। ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ନୂଆପଡ଼ା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର