ଯୁବ କଂଗ୍ରେସର ‘ଆକ୍ରୋଶ ସମା‌ବେଶ’

‘ପ୍ରତାରଣା କରିଛନ୍ତି ସରକାର’

ଭୁବନେଶ୍ବର : ବର୍ଷକୁ ୨ କୋଟି ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଏଣେ ଓଡ଼ିଶା ବେରୋଜଗାରୀରେ ୧ ନମ୍ବର ସ୍ଥାନରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋଟ୍‌ କଣ୍ଟ୍ରୋଲ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହଙ୍କ ହାତରେ ଅଛି ବୋଲି କହିଛନ୍ତି ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି। ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ‘ଯୁବ ଆକ୍ରୋଶ ସମାବେଶ’ରେ ମୁଖ୍ୟ ଅତିଥି ଭାବେ ଯୋଗ‌େଦେଇ ସେ ଏହା କହିଛନ୍ତି।

ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବେକାର ଯୁବକ/ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଉଦାସୀନ ରହିବା ଯୁବ ସମାଜ ପ୍ରତି ଉପହାସ ବୋଲି ସେ କହିଥିଲେ। ଶ୍ରୀ ଲେଙ୍କା ଅଭିଯୋଗ କରିଥିଲେ ଯେ ରାଜ୍ୟରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ଚୋରି, ଛିନ୍‌ତାଇ ଯେଭଳି ଭାବରେ ବଢ଼ି ଚାଲିଛି, ସେଥିରେ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟ ସରକାର ଏହାକୁ ରୋକିବା ପରିବର୍ତ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି।

ସକାଳେ ସଭାପତି ଶ୍ରୀ ଶ୍ରୀନିବାସ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୋଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା। ସମାବେଶ ପରେ ଏକ ବିରାଟ ଶୋଭାଯାତ୍ରା ବିଧାନସଭା ଘେରାଉ ନିମନ୍ତେ ଯାଇଥିଲା। ସେଠାରେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ୍‌ ଶତାଧିକ ଯୁବ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା।

ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ମହମ୍ମଦ ମୋକିମ୍‌, ବିହାର ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, ଏଆଇସିସି ସଂପାଦକ ବିଶ୍ୱରଂଜନ ମହାନ୍ତି, ଅଖିଳ ଭାରତ ଯୁବ କଂଗ୍ରେସ ସାଧାରଣ ସଂପାଦିକା ସୁଶ୍ରୀ ପ୍ରତିଭା ରଘୁବଂଶୀ, ସଂପାଦକ ରିୟାଜୁଲ୍ ଅନସାରୀ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଦେବେନ୍ଦ୍ରନାଥ ଶର୍ମା, ଅଧିରାଜ ମୋହନ ପାଣିଗ୍ରାହୀ, ଗିରିବାଳା ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ ମାରଣନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟାକୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଚିନ୍ମୟ ପ୍ରସାଦ ବେଉରା, ରବୀନ୍ଦ୍ର ସେଠୀ, ରବୀନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର