ବେରୋଜଗାର ଦିବସ ପାଳିଲା ଯୁବ କଂଗ୍ରେସ : ପକୁଡ଼ି ଛାଣି ବାଣ୍ଟିଲେ

ଭୁବନେଶ୍ୱର : ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ବାନକ୍ରମେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରିଛି। ଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ କରାଯାଉଥିବାବେଳେ ଯୁବ କଂଗ୍ରେସ ଏହାକୁ ବେରାଜଗାର ଦିବସର ଆଖ୍ୟା ଦେଇଛି। ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଆଜି ଯୁବ କଂଗ୍ରେସ କର୍ମୀମାନେ ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଭିନବ ଢ଼ଙ୍ଗରେ ବେରୋଜଗାର ଦିବସ ପାଳନ କରିଥିଲେ। ଏହି ଅବସରରେ କର୍ମୀମା‌ନେ ପକୁଡ଼ି ଛାଣି ସ୍ଥାନୀୟ ଲୋକଙ୍କୁ ବାଣ୍ଟିଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ଦେବା, ୪୫ ବର୍ଷରେ ବେରୋଜଗାର ରେକର୍ଡ ସୃଷ୍ଟି କରିବା, ଦେଶର ଜିଡିପିକୁ ମାଇନସ୍‌ ୨୩.୯%ରେ ପହଁଞ୍ଚିବା ଆଦି ପ୍ରସଙ୍ଗକୁ ନେଇ ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ। ଆଗାମୀ ୭ ଦିନ ଯାଏ ଯୁବ କଂଗ୍ରେସ ବେରୋଜଗାର ସପ୍ତାହ ପାଳନ କରିବ ବୋଲି ସୂଚନା ଦେଇଛି। ତେଣୁ ଏହି ସପ୍ତାହ ମଧ୍ୟରେ କର୍ମୀମାନେ ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ବୁଲି ବୁଲି ପକୁଡ଼ି ବିକିବା, ଭିକ୍ଷା ମାଗିବା, ଜୋତା ପଲିସ କରିବ‌ା ଭଳି ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଭାପତି ଶ୍ରୀ ଲେଙ୍କା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ମାନସ କର, ରଂଜିତ୍ ପାତ୍ର, ସ୍ବାଗତ କର, ସଙ୍କୁନା କହଁର, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଆଲିମ୍‌, ନିହାର ରଂଜନ ବେହେରା, ବିପ୍ଳବ ଶିଳାଦିତ୍ୟ, ବଟକୃଷ୍ଣ ରାଉତରାୟ, ଆଶୁତୋଷ ଲେଙ୍କା, ସୁମିତ୍ରା ଜେନା, ବିଶ୍ବରଂଜନ ଦାସ, ସୁନିଲ ମାଟିଆ, ଗୌତମ ଦାସ, ଆଦିତ୍ୟ ପରିଡ଼ା, ଜ୍ଞାନରଂଜନ ରାଉତ, କାର୍ତ୍ତିକେଶ୍ବର କାଣ୍ଡି, ଇତିସ୍ମିତା ପାତ୍ର, ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର