ଭୁବନେଶ୍ବର : କୋଭିଡକୁ ନେଇ ରାଜ୍ୟ ସରକାର ଆର୍ଥିକ କଟକଣା ଜାରି କରିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୀତିକୁ ସଶକ୍ତ ଓ ସୁଦୃଢ଼ କରିଥିବା ନେଇ ସବୁବେଳେ ଦାବି କରିଆସୁଛନ୍ତି। ଅଥଚ ମାତ୍ର ୩ ମାସର କୋଭିଡ କଟକଣାରେ ସବୁ ଓଲଟପାଲଟ ହୋଇଯାଇଛି। ଏବେ ରାଜ୍ୟର ବାସ୍ତବ ଆର୍ଥିକ ସ୍ଥିତି କ'ଣ ସେ ନେଇ ରାଜ୍ୟବାସୀଙ୍କୁ ଅବଗତ କରାଇବା ଦରକାର। ଆଜି ଏପରି ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଖାଲି ସେତିକି ନୁହେଁ, କେତେ ଯୁବକଯୁବତୀଙ୍କୁ ଏବେସୁଦ୍ଧା ନିଯୁକ୍ତି ମିଳିଛି ସେ ସମ୍ପର୍କରେ ଗୋଟିଏ ଶ୍ବେତପତ୍ର ଜାରି କରିବାକୁ ପ୍ରଦେଶ ଯୁବ କଂଗ୍ରେସ ସରକାରଙ୍କୁ ଆହ୍ବାନ କରିଛି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ବିବୃତି ଜାରି କରି ଅଭିଯୋଗ କରିଛନ୍ତି ଯେ ଦୀର୍ଘ ମିଆଦି ଯୋଜନାର ଅଭାବ ଓ କର୍ମନିଯୁକ୍ତି ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସରକାରୀ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିଦେଲେ ଆର୍ଥିକ ଶୃଙ୍ଖଳା ଆସିଯିବ, ଏକଥା ଭାବିବା ଭୁଲ। ପ୍ରଥମେ ରାଜ୍ୟ ଆପାତକାଳୀନ ପାଣ୍ଠିରୁ ଟଙ୍କା ନେଇ 'କାଳିଆ' ଯୋଜନା ଆରମ୍ଭ କରାଗଲା। ନିର୍ବାଚନକୁ ଆଖିରେ ରଖି ହୋଇଥିବା ଯୋଜନା ପାଇଁ ପାଣ୍ଠି ଅଭାବରୁ ଏହି ଯୋଜନାକୁ ପିଏମ୍ କିଷାନ ନିଧି ଯୋଜନା ସହିତ ମିଶ୍ରଣ କରିଦିଆଗଲା। ପୂର୍ବରୁ ଘୋଷଣା ହୋଇଥିବା ଯୋଜନା 'ପିଠା' ଓ ଏଲ୍ଇଡି ବଲ୍ବ୍ ବାଣ୍ଟିବା ଭଳି ଯୋଜନା ଗଲା କୁଆଡ଼େ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ଏସବୁ ଯୋଜନା କେବଳ ନିର୍ବାଚନ କୈନ୍ଦ୍ରିକ ହୋଇଥିବାରୁ ଏବେ ଅର୍ଥ ବ୍ୟବସ୍ଥାର ବିକଳ ଚିତ୍ର ସାମାନାକୁ ଆସିଛି।
ପରିସଂଖ୍ୟାନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ମାସିକ ୨୨୦୦ କୋଟି, ପେନ୍ସନ୍ ବାବଦକୁ ୧୩୦୦ କୋଟି, ଋଣଜନିତ ସୁଧ ପାଇଁ ୫୫୦ କୋଟି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ସରକାର ବର୍ଷକୁ ନିଜସ୍ବ ଟିକସ ବାବଦରେ ୩୩ ହଜାର କୋଟି ଓ ଅଣଟିକସ ବାବଦରେ ୧୨ ହଜାର ୫୦୦ କୋଟି ଟଙ୍କା ପାଇଥାନ୍ତି। କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ ଓ ଜିଏସଟି କ୍ଷତିପୂରଣ ବାବଦକୁ ୩୯ ହଜାର ୨୦୭ କୋଟି ଏବଂ ବିଭିନ୍ନ ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଭାବରେ ୩୦ ହଜାର ୫୫୯ କୋଟି ଟଙ୍କା ପାଇଥାନ୍ତି। ଯେହେତୁ କୋଇଲା ରୟାଲଟି ବୃଦ୍ଧି ବିଗତ ୪ ବର୍ଷ ଧରି କେନ୍ଦ୍ର ସରକାର ବୃଦ୍ଧି କରିନାହାନ୍ତି, ତେଣୁ ସେ ବାବଦରେ କିଛି ଅଧିକ ଅର୍ଥ ଆଶାକରିବା ମଧ୍ୟ ବୃଥା।
ପିସିସି ସଭାପତି ଆହୁରି ଦର୍ଶାଇଛନ୍ତି ଯେ ୨୦୦୪ ମସିହାରେ ରାଜ୍ୟ ସରକାର ନିଷ୍ପତ୍ତି କରିଥିଲେ ଯେ, ଖାଲିଥିବା ସରକାରୀ ଚାକିରିରେ ଅତି କମ୍ରେ ୨୫% ପଦବି ପୂରଣ କରାଯିବ। କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ପଦବି ପୂରଣ କରିବା ବଦଳରେ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଚାଲିଲେ। ସରକାରଙ୍କୁ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, କେଉଁ ବିଭାଗରେ କେତେ ନିର୍ଦ୍ଦିଷ୍ଟ ସଂଖ୍ୟକ ପଦବି ପୂରଣ ହେବାର ଆବଶ୍ୟକତା ଅଛି, ତାକୁ ଅନୁଧ୍ୟାନ କରାଯାଇ ପଦବି ପୂରଣ ପାଇଁ ଅବିଳମ୍ବେ ପ୍ରକ୍ରିୟା ଆରମ୍ଭ କରାଯାଉ।
ଅନ୍ୟପଟେ ବର୍ଷକୁ ୧ ଲକ୍ଷ ନିଯୁକ୍ତି ଦେବା ନେଇ ସ୍ବପ୍ନ ଦେଖାଇଥିବା ବିଜେଡି ସରକାର ଏ ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ନିଯୁକ୍ତି ଦେଇପାରିନଥିବା ନେଇ ଯୁବ କଂଗ୍ରେସ ଅଭିଯୋଗ କରିଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି, ୨୦୧୮ ମସିହାରେ ରାଜ୍ୟ ସରକାର ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ କରି ପ୍ରାୟ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଭରସା ଦେଇଥିଲେ। ୨ ବର୍ଷ ଭିତରେ କେତେ ନିଯୁକ୍ତି ଦିଆଯାଇଛି, ତାକୁ ସରକାର ଜଣାଇବା ଦରକାର। ଏହାସହିତ ଖାଲିଥିବା ପଦବିଗୁଡ଼ିକ କେବେସୁଦ୍ଧା ପୂରଣ ହେବ, ତାକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଯୁବ କଂଗ୍ରେସ ସଭାପତି ଦାବି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Niranjan-Patnaik-2018.jpg)