ପରିବହନ ମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଦାବିପତ୍ର : ‘ଆଉ ୬ ମାସ କୋହଳ କର କଟକଣା’

ଭୁବନେଶ୍ୱର : ସରକାର ଭିତ୍ତିଭୂମି ପ୍ରସ୍ତୁତ ନ କରି ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରିଥିବାରୁ ଶହ ଶହ ଲୋକ ଅର୍ଥଦଣ୍ଡ ଭୋଗୁଛନ୍ତି। ଏଣୁ ଲୋକମାନଙ୍କୁ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଆଉ ୬ ମାସ ସମୟ ଦିଆଯାଉ ବୋଲି ଦାବି କରିଛି ଯୁବ କଂଗ୍ରେସ। ଏ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛି। ତା’ ସହିତ ସଂଶୋଧିତ ମୋଟର ଯାନ ଆଇନ ବଳରେ ଜରିମାନା ଦଣ୍ଡ ଅଧିକ ହେଇଯାଉଥିବାରୁ ଏହି ଜରିମାନା ପରିମାଣ ସର୍ବାଧିକ ୧ ହଜାର ଟଙ୍କା ରଖାଯାଉ ବୋଲି ସେ ଦାବି କରିଛନ୍ତି।

ସେ ଅଭିଯୋଗ କରିଛନ୍ତି, ରାଜ୍ୟର ଆଂଚଳିକ ପରିବହନ କାର୍ଯ୍ୟାଳୟଗୁଡିକ ସ୍ୱୟଂ ସଂପୂର୍ଣ୍ଣ ହୋଇପାରିନଥିବାରୁ ଲାଇସେନ୍ସ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ପୋଲିସ ଓ ଟ୍ରାଫିକ୍ ଅଧିକାରୀମାନେ କାଗଜପତ୍ର ଯାଂଚ ବେଳେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବାର ଦୃଶ୍ୟ ନଜରକୁ ଆସୁଛି। ଏଣୁ ଏହି ବ୍ୟବସ୍ଥାକୁ ଅତି କମ୍‌ରେ ଆଉ ୬ ମାସ କୋହଳ କରିବା ସହ ଜରିମାନା ରାଶିକୁ ସର୍ବାଧିକ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରଖିବା ଓ ରୋଗୀ, ପରୀକ୍ଷାର୍ଥୀ ଏବଂ ଛୋଟ ବ୍ୟବସାୟୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ରାଜ୍ୟରେ ଅବ୍ୟବସ୍ଥିତ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଉ ବୋଲି ସେ କହିଛନ୍ତି। ପ୍ରତିନିଧି ମଣ୍ଡଳୀରେ ଅଜୟ ସାହୁ, ସଙ୍କୁନା କହଁର, ରଞ୍ଜିତ୍ ପାତ୍ର, ତାପସ ମିଶ୍ର, ଦେବାଶିଷ ମହାପାତ୍ର, ବିଶ୍ୱରଞ୍ଜନ ଦାସ, ଚିନ୍ମୟ ପ୍ରଧାନ, ଶେଷଦେବ ବରାଳ, ପ୍ରତାପ ପ୍ରଧାନ, ଆଲୋକ ଦିଗଲ, ବିରଞ୍ଚି ବାରିକ, ବିକାଶ ନାୟକ, ଦେବାଶିଷ ରାଉଳ ପ୍ରମୁଖ ଥିଲେ।

ଏନେଇ ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମ ଲାଗୁକରାଯାଇଛି। ପୂର୍ବରୁ ୬ ମାସର ମହଲତ ଦିଆଯାଇଥିଲା। ଏହି ଅବଧି ସରିବା ପ‌ରେ ମଧ୍ୟ ଆରଟିଓ କାର୍ଯ୍ୟାଳୟରେ ଭିଡ଼ ଜମୁଛି। ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି। ତେବେ ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର