ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସ କର୍ମୀମାନେ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଓଡ଼ିଆ ଅସ୍ମିତା ଆଦି ପ୍ରସଙ୍ଗ ନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ଯୁବ କଂଗ୍ରେସ କର୍ମୀମାନେ ରାଜମହଲ ଛକରୁ ଏକ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏହାପରେ ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା।
ଏନେଇ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ଦଳିତ ଓ ଆଦିବାସୀମାନେ ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ। ମହିଳା ନିର୍ଯାତନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ସୁପ୍ତ ଅବସ୍ଥାରେ ପଡ଼ି ରହିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବାକୁ ଚେତାବନୀ ଦିଆଯାଇଛି।
ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପିସିସି ସାଧାରଣ ସମ୍ପାଦକ ୟାସିର ନଵାଜ, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅାଳୟ ସାହୁ, ମହମ୍ମଦ ପରଭେଜ୍, ମହମ୍ମଦ ଗୁଲ୍ଫାମ୍, ବଟକୃଷ୍ଣ ରାଉତରାୟ, ଗୋପନ ମାର୍ଥା, ଜାଭେଦ ଅଖତର, କେଦାର ଦଳାଇ, ଆଲୋକ ଦାସ, ଅଜୟ ପଣ୍ଡା, ଦେବୀ ପ୍ରସାଦ ଜେନା, ବିଶ୍ବଭୂଷଣ ମହାପାତ୍ର, ବଳରାମ ନନ୍ଦ, ରଞ୍ଜିତ ସେନାପତି, ସୂରଜ ରାଉତ, ସନ୍ଦୀପ ରାଉତରାୟ, ଶିବ ରଞ୍ଜନ ସାହୁ, ପ୍ରଶାନ୍ତ ରାଉତ, ଜଗଦୀଶ ରାଉତ, ସେକ୍ ନିୟାଜୁଲ, ପବିତ୍ର ସେଠୀ, ଚର୍ଚ୍ଚିତ ମହଲା ପ୍ରମୁଖ ସାମିଲ ହୋଇଥିଲେ।