ଯୁବ କଂଗ୍ରେସ ସଭାପତି ଚୟନ ନେଇ ଭିନ୍ନ ମତ ରଖିଲେ କେନ୍ଦ୍ରୀୟ ନେତୃତ୍ୱ

ଭୁବନେଶ୍ବର : ଯୁବ କଂଗ୍ରେସ ସଭାପତି ପଦ ଚୟନ ନେଇ ଭିନ୍ନ ମତ ରଖିଛନ୍ତି ଯୁବ କଂଗ୍ରେସ ରାଜ୍ୟ ପ୍ରଭାରୀ କୁମାରୀ ପ୍ରତିଭା ରଘୁବଂଶୀ। ଆଜି ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀ ଥିବା ଯୁବକଙ୍କୁ ନେଇ ଆଲୋଚନା ପରେ କୁମାରୀ ରଘୁବଂଶୀ କହିଥିଲେ, ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ କରିବା ଅଧିକାର କେବଳ ଭାରତୀୟ ଯୁବ କଂଗ୍ରେସର ଦାୟିତ୍ବ। ଏଥିରେ ପ୍ରଦେଶ କଂଗ୍ରେସ କମିଟିର କିଛି କରିବାର ନାହିଁ। ପ୍ରକାଶଥାଉକି, ଯୁବ କଂଗ୍ରେସ ସଭାପତି ପଦ ପାଇଁ ଗତକାଲି କଂଗ୍ରେସ ଭବନରେ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ପଦ ପାଇଁ ଆଶାୟୀ ଥିବା ଯୁବ ନେତା କଂଗ୍ରେସ ଭବନରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ପଦ ପାଇଁ ଚୟନ କମିଟି ୩ ଦିନ ମଧ୍ୟରେ ପିସିସିକୁ ଜଣାଇବ ବୋଲି କମିଟି ଆବାହକ ପ୍ରଦୀପ ମାଝୀ କହିଥିଲେ। କିନ୍ତୁ କୁମାରୀ ରଘୁବଂଶୀଙ୍କ ଯୁକ୍ତି ଏବେ ଯୁବ କଂଗ୍ରେସ ସଭାପତି ଚୟନ କରିବା ପ୍ରକ୍ରିୟାକୁ ଭିନ୍ନ ମୋଡ଼ ଦେଇଛି।

ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଥିଲେ, ଦଳକୁ ମଜବୁତ କରିବା ପାଇଁ କମିଟି ଗଠନ କରାଯାଇଛି। ଏଆଇସିସିକୁ ରିପୋର୍ଟ ଦିଆଯିବ। ଯୁବ କଂଗ୍ରେସ ସଭାପତି ଦାୟିତ୍ବ କାହାକୁ ଦିଆଯିବ ସେ ନେଇ କାହାରି ନାମ ପିସିସି ପକ୍ଷରୁ ରିପୋର୍ଟରେ ଉଲ୍ଲେଖ ରହିବ ନାହିଁ। ଏଆଇସିସିକୁ କେବଳ ମତାମତ ଦେବା ଅଧିକାର ପିସିସିର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର