ଇଡି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ, ବିକ୍ଷୋଭ ବେଳେ ଯୁବ କଂଗ୍ରେସ କର୍ମୀ, ପୁଲିସ ଧସ୍ତାଧସ୍ତି

ଭୁବନେଶ୍ବର : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରାଯିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ଯୁବ କଂଗ୍ରେସ। କିଛିଦିନ ପୂର୍ବରୁ ଇଡି କାର୍ଯ୍ୟାଳୟରେ କଳାପତାକା ଲଗାଇଥିବା ଯୁବ କଂଗ୍ରେସ ସୋମବାର ଦିନ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହାକୁ ନେଇ ଯୁବ କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ।

ପୂର୍ବ‌ ଘୋଷଣା ଅନୁସାରେ ସୋମବାର ଦିନ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ କର୍ମୀମା‌ନେ ସିଆରପି ଛକରୁ ଏକ ଶୋଭାଯାତ୍ରାରେ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ‘ମୁଁ ରାହୁଲ ଗାନ୍ଧୀ’ ବ୍ୟାନର ପିନ୍ଧି କର୍ମୀମାନେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ସହିତ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ‌ମୋଦୀ ସରକାର ଦେଶର ସାମ୍ବିଧାନିକ ସଂସ୍ଥା ଇଡିକୁ ନିଜର ଦଳୀୟ ଏଜେଣ୍ଟ ଭାବେ ବ୍ୟବହାର କରୁଛନ୍ତି। କଂଗ୍ରେସକୁ ଅପମାନିତ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ଅଗ୍ନିପଥ ଭଳି ‌ଏକ ଲକ୍ଷ୍ୟହୀନ ଯୋଜନା ଆଣି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଅପଚେଷ୍ଟା ଚଳାଇଛନ୍ତି। ୨୦୧୪ ମସିହା ପରଠାରୁ ମୋଦୀ ସରକାର ଆକ୍ରୋଶମୂଳକ ଭାବେ ଗାନ୍ଧୀ ପରିବାର ବିରୋଧରେ ମିଛ ଓ ମନଗଢ଼ା ତଥ୍ୟ ଦେଇ ଇଡି, ସିବିଆଇ ଆଦି ସଂସ୍ଥାକୁ ରାଜନୈତିକ ଏଜେଣ୍ଟଭାବେ ଉପଯୋଗ କରୁଛନ୍ତି। ନାସନାଲ ହେରାଲ୍‌ଡରେ ଯେଉଁ ଆର୍ଥିକ ହେରଫେର କଥା କୁହାଯାଉଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ। ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପୂର୍ବରୁ ବହୁବାର ସ୍ପଷ୍ଟୋକ୍ତି ଦେଇ ସାରିଛନ୍ତି। ଏହାସତ୍ତ୍ବେ ବି ମୋଦୀ ସରକାର କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

ବିଜେପି ନେତା ଅମିତ ଶାହଙ୍କ ପୁଅ ଜୟ ଶାହ ୫୦ହଜାର ଟଙ୍କାରୁ ୮୦ କୋଟି ଆୟ କରିବା ପଛରେ ବଡ଼ ଧରଣର ଆର୍ଥିକ ଘୋଟାଲା ରହିଛି। ହେଲେ ଏହାର କୌଣସି ତଦନ୍ତ କରାଯାଉନାହିଁ। ଅନେକ ବିଜେପି ନେତା ଓ ମନ୍ତ୍ରୀ ଆର୍ଥିକ ହେରଫେର ଓ ଦୁର୍ନୀତିରେ ଜଡ଼ିତ ଥିବା ବେଳେ ସେମାନଙ୍କୁ ସିବିଆଇ ଓ ଇଡି କେବେ ଜେରା କରିବ ବୋଲି ସଭାପତି ସ୍ମୃତିରଂଜନ ଲେଙ୍କା ପ୍ରଶ୍ନ କରିଛନ୍ତି। ବିକ୍ଷୋଭରେ ଜ୍ଞାନରଂଜନ ରାଉତ, ବୀରେନ ଦଳେଇ, ରଞ୍ଜିତ ପାତ୍ର, ସନ୍ତୋଷ ବେହେରା, ରାକେଶ ସାହୁ, ବିଶ୍ବଜିତ ଲେଙ୍କା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା, କ‌ହ୍ନେୟାଲାଲ ସାବତ, ଅକ୍ଷୟ ମଲ୍ଲ, ସୁରଜ ରାଉତ, ଚଚ୍ଚିତ ମହଲା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର