ଭୁବନେଶ୍ବର: ଚଳିତମାସ ୮ ଓ ୯ ତାରିଖରେ ଓଡ଼ିଶା ପୁଲିସ ଏସ୍‌ଆଇ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ନିଯୁକ୍ତି ପାଇଁ ପରୀକ୍ଷା ହେବ। ଆଇଟିଆଇ ସଂସ୍ଥା ଜରିଆରେ ରିଚ୍‌ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହି କମ୍ପାନିର କଳା କାରନାମା ସଂପର୍କରେ ଦେଶବାସୀ ଜାଣିଥିବାରୁ ଅଧିକାଂଶ ପଦବି ବିକ୍ରି ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସରକାରୀ ଚାକିରି ବିକ୍ରି ଉପରେ ରୋକ ଲଗାଇବା ଦାବିରେ ଆଜି ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। 

Advertisment

ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପିଏସ୍‌ୟୁ ସଂସ୍ଥା ଆଇଟିଆଇ ଲିମିଟେଡ୍‌ ଓଡ଼ିଶା ପୁଲିସର ଏହି ନିଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା। ଗତବର୍ଷ ଏହି ସଂସ୍ଥା ପ୍ରତି ଆବେଦନକାରୀ ପିଛା ୨୬୬ ଟଙ୍କାରେ ଟେଣ୍ଡର ଚୂଡ଼ାନ୍ତ ହୋଇଥିବା ‌ବେଳେ ଏବର୍ଷ କିଭଳି ୨୪୭ ଟଙ୍କା କମ୍‌ରେ ରାଜ୍ୟ ସରକାରଙ୍କଠାରୁ ଟେଣ୍ଡର ପାଇଲା? ଦରଦାମ୍ ୭% ହାରରେ ବଢ଼ୁଥିବା ବେଳେ ଆଇଟିଆଇ କମ୍ପାନି ୬.୪% କମ୍ ହାରରେ ଟେଣ୍ଡର ପାଇଛି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାସହ ଆଇଟିଆଇ ସଂସ୍ଥା ପରୀକ୍ଷା ପରିଚାଳନା ପାଇଁ ରିଚ୍‌ମାଇଣ୍ଡ ଡିଜିଟାଲ ଲିମିଟେଡ୍‌ ଭଳି କମ୍ପାନିକୁ ସବ୍‌ କଣ୍ଟ୍ରାକ୍ଟ ଦେଇଛି।

ଏହା ଗୁଜରାଟର ଏକ ଦୁର୍ନୀତିଖୋର ଓ ଅସାଧୁ ସଂସ୍ଥା। କାରଣ ରିଚ୍‌ମାଇଣ୍ଡ ଡିଜିଟାଲ ଓଡ଼ିଶାରେ ପୂର୍ବରୁ ଯେଉଁସବୁ ପରୀକ୍ଷା କରିଥିଲା ସେଥିରେ କୋଟି କୋଟିର ଦୁର୍ନୀତି ହୋଇଥିବାର ଅଭିଯୋଗ ରହିଛି। ତେଣୁ ଓଡ଼ିଶାରେ ପରୀକ୍ଷା ଆୟୋଜନ ପୂର୍ବରୁ ଅଧିକାଂଶ ପଦବି ବିକ୍ରି ହେବା ପାଇଁ ଷଡ଼୍‌ଯନ୍ତ୍ର ହୋଇସାରିଥିବା ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ ‌କରାଯାଇଛି। ଏହି ବିକ୍ଷୋଭରେ ୟାସିର ନୱାଜ, ମହମ୍ମଦ ଇନଦାଦ, ନିହାର ବେହେରା, ସୁଦୀପ ସାମଲ, ଗୋପନ ମାର୍ଥା, ଉଦିତ ପ୍ରଧାନ, ସ୍ବାଗତ କର, ମହମ୍ମଦ ପରଭେଜ, ସ୍ପନ୍ଦନ ସ୍ବାଇଁ ଓ ବାଦଲ ନାୟକ ପ୍ରମୁଖ ସାମିଲ ହୋଇଥିଲେ।