ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ‘ମୋମୋ’ ଗୁଜବ : ଦା’, ବ୍ଲେଡ୍‌ରେ ହାତ କାଟିଲେ

ବୟାଳିଶମୌଜା : ବୟାଳିଶମୌଜା ଝାରକଟା ଗ୍ରାମରେ ଜଣେ ଯୁବକର ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ପୁଣି ଥରେ ‘ମୋମୋ’ ଆତଙ୍କ ସୃଷ୍ଟି ହୋଇଛି। ବଣ୍ଟି ଓରଫ ସୁନୀଲ ଦାସ ନାମକ ଜଣେ ଯୁବକ ହାତ କାଟିଥିବା ପ୍ରଥମରୁ ଚର୍ଚ୍ଚା ଚାଲିଥିଲେ ବି ପ୍ରାଥମିକ ତଦନ୍ତରୁ ନିଜ ବନ୍ଧୁଙ୍କ ସହ ଝଗଡ଼ା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ଅନ୍ୟ କାରଣକୁ ନେଇ ସେ ହାତ କାଟିଥିବା ସନ୍ଦେହ କରାଯାଉଛି। ବଡ଼ମେଡିକାଲ୍‌ରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲାବେଳେ ଏବେ ସେ ବିପଦ ମୁକ୍ତ ବୋଲି ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି। ପୁଲିସ ତାଙ୍କ ମୋବାଇଲ୍‌ ଜବତ କରି ମୋମୋ ଗେମ୍‌ ସଂପର୍କିତ କୌଣସି ତଥ୍ୟ ନ ପାଇବାରୁ ଏହାକୁ ‘ମୋମୋ’ ଗୁଜବ ବୋଲି କହିଛି।

ବଣ୍ଟିଙ୍କ ବାପା ବାସୁଦେବ କହିବା ଅନୁଯାୟୀ ବଣ୍ଟି ଗତ ତିନି ଚାରିଦିନ ହେବ ଅବସାଦରେ ରହୁଥିଲେ। ଅନେକ ସମୟରେ ମୋବାଇଲ୍‌କୁ ଧରି କିଛି ଦେଖୁଥିଲେ। ତେବେ ନିୟମିତ ଭାବେ ଆଖି ନାଲି ପଡୁଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ରାତିରେ ବଣ୍ଟି ଶୋଉଛି ନା ମୋବାଇଲ୍‌ରେ ସିନେମା ଦେଖୁଛି ବୋଲି ଏକାଧିକଥର ପଚରାଯାଇଥିଲା। ହେଲେ ସବୁବେଳେ କଥା ଟାଳି ଦେଉଥିବାରୁ ପରିବାର ଲୋକେ କିଛି ବୁଝିପାରୁନଥିଲେ। ଘଟଣା ଘଟିବାର ଗୋଟିଏ ଦିନ ଆଗରୁ ବଣ୍ଟି ମରିଯାଇଛନ୍ତି ବୋଲି ସ୍ୱପ୍ନ ଦେଖିଥିବା ସେ ତାଙ୍କ ମା’ଙ୍କୁ କହିଥିଲେ। ଖପୁରିଆସ୍ଥିତ ଏକ ଘରୋଇ କମ୍ପାନୀରେ ସେ କାମ କରୁଛନ୍ତି। ଗତ ରାତିରେ ସେ ଶୋଇବାକୁ ଚାଲିଯାଇଥିଲାବେଳେ ସକାଳ ୫ଟା ବେଳକୁ ସେ ଶୋଇଥିବା ଘର କବାଟ ଖୋଲିବାକୁ ଚେଷ୍ଟା କରାଯାଇଥିଲେ ବି ଖୋଲିନଥିଲା। ଧକ୍କା ମାରିବା ପରେ କବାଟ ଖୋଲିଥିଲା। ହେଲେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେ ବେଡ୍‌ରେ ପଡ଼ିଥିବା ପରିବାର ଲୋକେ ଦେଖିବା ପରେ ତାକୁ ତୁରନ୍ତ ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତେ ତାଙ୍କୁ ମୋମୋ ଖେଳୁଥିଲେ କି ବୋଲି ପଚାରିବାରୁ ସେ ହଁ କହିଥିଲେ। ସେହିଠାରୁ ମୋମୋ ଯୋଗୁଁ ସେ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ଖେଳି ଯାଇଥିଲା। ହାତରେ ବ୍ୟାଣ୍ଡେଜ୍‌ କରି ତାଙ୍କୁ ତୁରନ୍ତ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା। ଏଠାରେ ମଧ୍ୟ ଡାକ୍ତର ଯେତେବେଳେ ମୋମୋ ବିଷୟରେ ପଚାରିଥିଲେ ସେ ହଁ କହିଥିଲେ। ଏହାପରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବଣ୍ଟିଙ୍କ ମୋବାଇଲ୍‌କୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ୟୁଟୁବ୍‌ ହିଷ୍ଟ୍ରି, ହ୍ଵାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଇତ୍ୟାଦି ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରିଥିଲେ। ହେଲେ ମୋମୋ ସମ୍ପର୍କିତ କୌଣସି ସୁରାକ ମିଳିନଥିବା ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର