ଅବସାଦଗ୍ରସ୍ତ କଲା କରୋନା : ଜୀବନ ହାରିଲେ ଯୁବ ନୃତ୍ୟଶିଳ୍ପୀ

ଯାଜପୁରସଦର : କରୋନା ମହାମାରୀ ବେଳେ ବୃତ୍ତି ହରାଇ ମାନସିକ ଚାପଗ୍ରସ୍ତ ଥିବା ଜଣେ ଯୁବକ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଇଛନ୍ତି। ମୃତ ଯୁବକ ଯାଜପୁର ପୌରପାଳିକା ରାଜପୁର ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ପାଲଙ୍କ ପୁଅ କାଳୀ ପ୍ରସାଦ ପାଲ୍ (୨୫)।

ପୁଲିସ ସୂଚନା ଅନୁସାରେ ଆଜି ଅପରାହ୍‌ଣରେ କାଳୀପ୍ରସାଦ ତାଙ୍କ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କାଳୀପ୍ରସାଦ ଜଣେ ନୃ୍ତ୍ୟଶିଳ୍ପୀ। ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ନୃତ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। ଓଡ଼ିଶୀ, କୁଚିପୁଡ଼ି ପରି ଅନେକ ନୃତ୍ୟରେ ତାଙ୍କର ଦକ୍ଷତା ଥିଲା। ଏହି କଳା ପାଇଁ ସେ ଭାରତର ବିଭିନ୍ନ ରାଜ୍ୟକୁ ଯାଇ ସଫଳତା ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ବହୁ ସ୍ଥାନରୁ ସମ୍ମାନିତ କରାଯାଇଛି। କରୋନା ପାଇଁ ଦୀର୍ଘ  ୬ ମାସ ହେଲା  କାମ ବନ୍ଦ ଥିବାବେଳେ ସେ ନିଜର ନୃତ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ। ପ‌ରିବାର ଲୋକଙ୍କ ମତରେ ସେ କିଛି ଦିନ ହେବ ଅନ୍ୟମନସ୍କ ରହୁଥ‌ିଲେ। ଆଜି ତାଙ୍କୁ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଟାଉନ ଥାନା‌ରେ  ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର