ଏସ୍‌ସିବି ଚଟାଣରେ ୧୦ ଦିନ ଧରି ପଡ଼ିଥିଲେ : ଇଚ୍ଛାମୃତ୍ୟୁ ମାଗିଥିଲେ, ଆଖିବୁଜିଲେ

ବରଗଡ଼ : ଗତ ମାସ ୩୦ ତାରିଖ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ଆବେଦନ କରିଥିବା ବରଡ଼ୋଲ ଗାଁର ମୁନା ବାରିକଙ୍କ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ତେବେ ମୁନାଙ୍କ ମୃତ୍ୟୁ କଟକ ଏସ୍‌ସିବି ମେଡିକାଲ୍‌ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୋଇଛି ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି।

ଚିକିତ୍ସା ପାଇଁ ମୁନାଙ୍କୁ ଏସ୍‌ସିବି ମେଡିକାଲର ଅସ୍ଥିଶଲ୍ୟ ବିଭାଗ ଓ୍ଵାର୍ଡରେ ଭର୍ତି କରାଯାଇଥିଲା। କିନ୍ତୁ ଶଯ୍ୟାଟିଏ ନମିଳିବାରୁ ତାଙ୍କର ଠିକ୍‌ ଉପଚାର ହୋଇନଥିଲା। ଡାକ୍ତରଙ୍କୁ କାକୁତିମିନତି ହେଲେ ବି କିଛି ଲାଭ ହୋଇନଥିଲା। ଶେଷରେ ଶୁକ୍ରବାର ରାତିରେ ସେଠାକାର ଚିକିତ୍ସା ସେବାରୁ ଆସ୍ଥା ତୁଟାଇ ମୁନା ଏବଂ ମା’ ପ୍ରଭାତୀ ଘରକୁ ଚାଲି ଆସିଥିଲେ। ଏଠାରେ ଶନିବାର ସକାଳେ ପହଂଚିଥିଲେ। ହେଲେ ମୁନାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଶାସନ କିମ୍ବା ପୁଲିସ୍‌ କାହାକୁ ପରିବାରବର୍ଗ ଖବର ନଦେଇ ଗାଁ ଶ୍ମଶାନରେ ଦାହ ସଂସ୍କାର ସାରି ଦେଇଥିଲେ। ଏଭଳି ଏକ ସ୍ପର୍ଶକାତର ଘଟଣା ପାଇଁ ମୁନାଙ୍କ ପରିବାରବର୍ଗ ସିଧାସଳଖ ଏସ୍‌ସିବି ମେଡିକାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଭଲ ଚିକିତ୍ସା ମିଳିଥିଲେ ମୁନା ହୁଏତ ଠିକ୍‌ ହୋଇଯାଇଥାନ୍ତେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ଏବେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରି ଦେଇଛି। ଯେଉଁ ପୁଅକୁ ବଂଚାଇବା ପାଇଁ ମା’ ଘରଦ୍ୱାର ବନ୍ଧା ପକାଇଥିଲା, ଜମି ବିକି ଦେଇଥିଲା, ସେହି ପୁଅ ଆଖି ସାମନାରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛି। ସୂଚନାଯୋଗ୍ୟ, ୬ବର୍ଷ ତଳେ ପ୍ରଭାତୀଙ୍କ ସ୍ୱାମୀ ସୌରୀ ବାରିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପରିବାରର ଭାର ମୁନାଙ୍କ କାନ୍ଧକୁ ଆସିଥିଲା। କାମଧନ୍ଦା କରି ମୁନା ମା’ ଏବଂ ତିନି ଭଉଣୀଙ୍କ ପେଟ ପୋଷୁଥିଲେ। ଗତବର୍ଷ ଜୁନ୍‌ ମାସରେ ଆମ୍ବ ଗଛରୁ ପଡ଼ିଯିବା ପରେ ମୁନା ସଂପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ। ପୁଅର ଚିକିତ୍ସା ପାଇଁ ମା’ ପ୍ରଭାତୀ ଜମି ବିକ୍ରି କରି ଦେଇଥିଲେ। ଘରଦ୍ୱାର ବନ୍ଧା ପକାଇ ଦେଇଥିଲେ। ଶେଷରେ ସମସ୍ତ ପରିବାର ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ମୁନାଙ୍କ ଘରେ ପହଂଚି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସବୁ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଗତ ୮ ତାରିଖ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମୁନାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା। ଦଶଦିନ ଧରି ଏସ୍‌ସିବି ମେଡିକାଲ୍‌ରେ ମୁନାଙ୍କ କିଭଳି ଚିକିତ୍ସା ଅବହେଳା ହୋଇଥିଲା ସେ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ନିରାଶ ହୋଇ ଘରକୁ ଫେରି ଆସିଥିବା ମୁନା ଶେଷରେ ଆଖି ବୁଜିଛନ୍ତି।

ସମ୍ବନ୍ଧିତ ଖବର