ମୃତ୍ୟୁ ଏମିତି ବି ଆସିପାରେ, ବ୍ୟାୟାମ ହେଲା କାଳ

ବାଲୁଗାଁ : ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ସାଧାରଣତଃ ଯୋଗ, ବ୍ୟାୟାମ କରିଥାଉ। ମାତ୍ର ବ୍ୟାୟାମ କରିବା ସମୟରେ ଅସୁସ୍ଥ ହୋଇପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ବାଲୁଗାଁ ଏନ୍‌ଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ସରଳାପଦ ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଦିଲୀପ ସାହୁ ବ୍ୟାୟାମ କରିବା ନିମନ୍ତେ ନିଜର କିଛି ସାଙ୍ଗମାନଙ୍କ ସହିତ ବାଣପୁରସ୍ଥିତ ଏକ ଜିମ୍ନାସିୟମ୍‌କୁ ଯାଇଥାନ୍ତି। ମାତ୍ର ଗତ ଗୁରୁବାର ଦିନ ବ୍ୟାୟାମ କରୁଥିବା‌ ସମୟରେ ସେ ହଠାତ୍‌ ସଂଜ୍ଞାହୀନ ହୋଇପଡ଼ିଥଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବାଲୁଗାଁ ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷାରୁ ଦିଲୀପଙ୍କ ମୁଣ୍ଡର ୪ ଟି ଶିରା ଫାଟିଯାଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ବହୁ‌ ଉଦ୍ୟମ ସତ୍ତ୍ବେ ଶନିବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଦିଲୀପ ପଞ୍ଚୁପଲ୍ଲୀ ଭୀମ ବଳବନ୍ତରାୟ କଲେଜର ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ତାଙ୍କର ଅକାଳ ବିୟୋଗରେ କଲେଜ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିଲୀପଙ୍କର ଅନ୍ତିମ ସଂସ୍କାର ବେଳେ ଗ୍ରାମର ବହୁଲୋକ ଉପସ୍ଥିତ ରହିଥିଲେ। ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡ଼ିଥିବା କୈଳାସଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର