କୁମ୍ଭୀର ଟାଣି ନେଇଥିବା ସଂଜୟଙ୍କ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ତାଇ : ଗତକାଲି ବ୍ରାହ୍ମଣୀ ନଦୀରେ ଗଧୋଉଥିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ବ୍ଳକ ଅନ୍ତର୍ଗତ ମଣ୍ତପଡା ଗ୍ରାମର ସଂଜୟ ପ୍ରଧାନଙ୍କ ମୃତଦେହ ଆଜି ମିଳିଛି। ଆକ୍ରମଣ ସ୍ଥାନରୁ ୧୦୦ ଫୁଟ ଦୂରରେ ଆଜି ସଂଜୟଙ୍କ ମୃତଦେହ ଭାସୁଥିବାର ଗାଁ ଲୋକ ଦେଖି ଡଙ୍ଗା ସାହାଯ୍ୟରେ ଶବକୁ ଉଦ୍ଧାର କରିଥିଲେ। ପଟ୍ଟାମୁଣ୍ତାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ଆଳି ମେଡିକାଲକୁ ପଠାଇଥିଲ‌‌ା। ଖବର ପାଇ ବିଧାୟକ ଧ୍ରୁବ ସାହୁ ଘଟଣାସ୍ଥଳରେ ପହଂଚିବା ସହ ସଂଜୟଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ସଂଜୟ ନଦୀରେ ଗାଧୋଉଥିବା ସମୟରେ ତାଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା। ଏହାପରେ ଗାଁ ଲୋକ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିବା ପରେ ମଧ୍ୟ ସଂଜୟଙ୍କ ପତ୍ତା ମିଳି ନଥିଲା। ସଂଜୟଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ଭିତରକୁ ନେଇଯିବା ପରେ ଲୋକ ଦେଖି ସଂଜୟଙ୍କୁ ଛାଡି କୁମ୍ଭୀର ସେଠାରୁ ଚାଲିଯାଇଥିଲା। ସଂଜୟଙ୍କ ହାତ ଗୋଡ ଓ ଦେହରେ କୁମ୍ଭୀର କାମୁଡିବାର ଦାଗ ସହ କ୍ଷତ ମଧ୍ୟ ଦେଖିବାକୁ ମିଳିଛି। ସଂଜୟ ଦିଲ୍ଲୀରେ ପାଣି ପାଇପ କାରିଗର ଭାବରେ କାମ କରି କିଛି ଦିନ ତଳେ ଗାଁକୁ ଆସିଥିଲା।

ସମ୍ବନ୍ଧିତ ଖବର