ଟ୍ରକ୍‌ ଧକ୍କାରେ ଯୁବକ ମୃତ: ୧୪ ଘଣ୍ଟା ରାସ୍ତା ଅବରୋଧ

ବରଗଡ଼: ଗତ ରାତିରେ ବରଗଡ଼-ଭଟଲି ରାସ୍ତାରେ ଟ୍ରକ୍‌ ଚାପାରେ ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ ଘଟିଥିଲା। ମୃତକ ଜଣକ  ସ୍ଥାନୀୟ ସାର କାରଖାନା ସମ୍ମୁଖ ନଦୀପଡ଼ା ବାସିନ୍ଦା କିଶୋର ବେଲଘରିଆ । ସେ ବଜାଜ୍‌ ସୋ’ ରୁମରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ପ୍ରାୟ ସାଢ଼େ ୯ଟା ବେଳେ ସେ କାମ ସାରି ଘରକୁ ଫେରୁଥିବା ସମୟରେ ଟ୍ରକ୍‌ ଚାପରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।  ଦୁର୍ଘଟଣା ଘଟାଇ ଥିବା ଟ୍ରକ୍‌କୁ ପୁଲିସ୍‌ ହେପାଜତରେ ନେଇ ଯାଇଥିଲା।

ତେବେ ଘଟଣାକୁ କେନ୍ଦ୍ର କରି ଗତ ରାତି ସାଢ଼େ ୧୦ଟାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଯାହା ସକାଳେ ଆହୁରି ତୀବ୍ର ରୂପ ଧାରଣ କରିଥିଲା। ଲୋକେ ରାସ୍ତା ଉପରେ ଜଳାପୋଡ଼ା ଆରମ୍ଭ କରିଥିଲେ। ଫଳରେ ବରଗଡ଼-ଭେଡ଼େନ ଦେଇ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍‌ ରହିଥିଲା। ସକାଳୁ ସ୍କୁଲ ଥିବାରୁ ବସ୍‌ଗୁଡ଼ିକ ଭଟଲି ପଟେ ଥିବା ଶିକ୍ଷାନୁଷ୍ଠାନ ଅଭିମୁଖେ ଯାଇପାରିନଥିଲେ। ଦିନ ଗଡ଼ିବା ସାଂଗକୁ ଆନ୍ଦୋଳନ ଆହୁରି ବଢ଼ିଥିଲା। କାରଣ କୌଣସି ପ୍ରଶାସନିକ ଅଧିକାରୀ ମୃତକଙ୍କ ପରିବାରକ ଭେଟିବାକୁ ଆସିନଥିଲେ। ମଧ୍ୟାହ୍ଣରେ ଆନ୍ଦୋଳନ ବେଗ ଧରିଥିଲା। ଲୋକେ ଭଟଲି ଛକକୁ ସବୁ ପଟୁ ଅବରୋଧ କରିଥିଲେ। ଫଳରେ ଅଧା ବରଗଡ଼ ସହର ଭିତରେ ବି ଯୋଗାଯୋଗ ବିଚ୍ଛିନ୍ନ ‌ହୋଇଥିଲା। ପରେ ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ ଘଟଣାସ୍ଥଳରେ ପହଂଚିଥିଲେ। ମୃତକଙ୍କ ପରିବାରକୁ ରେଡକ୍ରସ୍‌ ପକ୍ଷରୁ ୨୦ହଜାର ଟଙ୍କା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ସୁପାରିସ, ମୃତକଙ୍କ ପରିବାରକୁ ବୀମା ବ୍ୟବସ୍ଥା ଏବଂ ଝିଅକୁ ନିଯୁକ୍ତି ପାଇଁ ପ୍ରଶାସନ ସହଯୋଗ କରିବା ନେଇ ଉପଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଦିନ ଅଢ଼େଇଟାରେ ହଟିଥିଲା।

ସମ୍ବନ୍ଧିତ ଖବର