ବିଂଝାରପୁର: ବିଦ୍ୟୁତ୍ ଆଘାତରେ ବିଂଝାରପୁର ଥାନା ଶାସନ୍ଦା ପଞ୍ଚାୟତ ତାଉଁନ୍ତରା ଗ୍ରାମର ଗୋବିନ୍ଦ ଦାସଙ୍କ ପୁଅ ଗୋଲଖ(୩୯)ଙ୍କର ଆଜି ମୃତ୍ୟୁ ହୋଇଛି। ଆଜି ମଧ୍ୟାହ୍ନରେ ଗୋଲଖ ନିଜ ଘରେ ବିଦ୍ୟୁତ୍ କାମ କରୁଥିବା ବେଳେ ସେ ବିଦ୍ୟୁତ୍ ତାରରେ ଲାଗିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଂଝାରପୁର ପୁଲିସ ପହଞ୍ଚି ୩୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ସନ୍ଧ୍ୟାରେ ତାଉଁତରା ଗ୍ରାମରେ ପହଞ୍ଚିଥିଲା। ସରପଞ୍ଚ କାମଦେବ ଧଳ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଗ୍ରାମରେ ଶେଷକୃତ୍ୟ କରାଯାଇଥିଲା। ଗୋଲଖଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।