ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କଲମପୁର ରାସ୍ତାର ସିଙ୍ଗାରୀ ଘାଟିରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣା ଘଟି ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ହେଁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣକ କଲମପୁର ବ୍ଲକ୍ ଶାଗବାରି ଗ୍ରାମର ଶ୍ୟାମସୁନ୍ଦର କେତକୀ ବୋଲି ଜଣାପଡ଼ିଥିବା ଥୁଆମୂଳ ରାମପୁର ଥାନା ପୁଲିସ୍ କହିଛି।
ଶ୍ୟାମସୁନ୍ଦର ଶାଗବାରିରୁ କୌଣସି କାମରେ ଥୁଆମୂଳ ରାମପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା କିପରି ଓ କେମିତି ହୋଇଛି ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ୍ ଏବଂ ମୃତ ଚାଳକଙ୍କ ପରିଚୟପତ୍ର ଓ ମୋବାଇଲ ଉଦ୍ଧାର ପରେ ପୁଲିସ୍ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲା।