କୋଇଡ଼ା : ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟିପର୍

କୋଇଡ଼ା : କୋଇଡ଼ା ଥାନା ଅନ୍ତର୍ଗତ ଓରାଘାଟ ମୁଣ୍ଡାବସ୍ତି ନିକଟସ୍ଥ ମେଢ଼ ପାଖ ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରାସ୍ତା ଜାମ୍‌ ପାଇଁ ତାଙ୍କର ଜୀବନ ଯାଇଥିବା ଜଣାପଡ଼ିଛି।

ଆଜି ରାସ୍ତା ଜାମ୍‌ ଯୋଗୁ କୋଇଡ଼ା ନିକଟରେ ଶହଶହ ଗାଡ଼ିର ଲାଇନ୍‌ ଲାଗିଥିଲା। ସେହି ସମୟରେ ଯଶବନ୍ତ ଦେହୁରୀ (୩୬) ଗାଡ଼ିରୁ ଓହ୍ଲାଇ ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ ଏବଂ ଟିପର୍‌ର ଚକ ତାଙ୍କର ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯଶବନ୍ତ ଏବଂ ତାଙ୍କର ୮ଜଣ ସାଙ୍ଗ କଲମଙ୍ଗ ଗାଁରୁ କରମା ପୂଜା ଶେଷକରି ଘରକୁ ଫେରୁଥିବା ସମୟରେ ଗାଁଠାରୁ ମାତ୍ର କିଛି ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଯଶବନ୍ତଙ୍କ ଘର ସାନଇନ୍ଦୁପୁର ବୋଲି ଜଣା ପଡ଼ିଛି। ଯଶବନ୍ତ ସାନଇନ୍ଦୁପୁର ଛକରେ ଏକ ଛୋଟ ହୋଟେଲ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଘରେ ତାଙ୍କର ବିଧବା ପତ୍ନୀ ଏବଂ ଛୋଟ ଛୋଟ ଦୁଇ ପୁଅ ଅଛନ୍ତି। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଓଆର୍‌ ୧୫ଏଚ ୩୯୫୯ ଟିପର୍‌ର ଚାଳକ ଫେରାର ହୋଇଯାଇଛି। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଦୁଇ ଦିନିଆ କୋଇଡ଼ା ଗସ୍ତରେ ଆସି ବିଶେଷ କରି କୋଇଡ଼ା ରାସ୍ତାରେ ସୃଷ୍ଟି ହେଊଥିବା ନିତିଦିନିଆ ଜାମ୍‌ ଉପର ସ୍ଥାୟୀ ସମାଧାନ ପ୍ରସଙ୍ଗରେ ବିସ୍ତୃତ ସମୀକ୍ଷା କରିବାର ଗୋଟିଏ ଦିନ ନ ପୂରୁଣୁ ଏହି ଘଟଣା ଘଟିଛି। ତେଣୁ ଏହି ସମସ୍ୟା ପ୍ରସଙ୍ଗରେ ପ୍ରଶାସନର ନିଷ୍ଠାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର