ବେଲୁନ୍‌ ପାଇଁ ଜୀବନ ଗଲା

ପୁରୁଣା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ଆସିଥିଲେ। ସାଙ୍ଗରେ ଥିଲେ ଦୁଇଟି ଛୋଟଛୋଟ ପିଲା। ଓଭରବ୍ରିଜ୍‌ ଉଦ୍‌ଘାଟନ ପରେ ପରେ ଛୋଟଛୋଟ ପିଲା ଦୁହେଁ ଜିଦ୍‌ କଲେ ରଙ୍ଗିନ ବେଲୁନ ମାଳ ନେବାକୁ। ପିଲାଙ୍କ ଜିଦ୍‌ ଆଗ ହାର୍‌ ମାନିଥିଲେ ସେ। ଆଉ ଶେଷରେ ବିଦ୍ୟୁତ ଖୁଣ୍ଟରେ ଟଙ୍ଗା ହୋଇଥିବା ବେଲୁନ୍‌କୁ ଆଣିବା ବେଳେ ଲାଗିଥିଲା ଶକ୍ତ ବିଦ୍ୟୁତ ଝଟକା। ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ ସେ। ସେ ହେଉଛନ୍ତି ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ସୀମାଞ୍ଚଳ ପଣ୍ଡା। ଏଠାରେ ନିଜ ସମ୍ପର୍କୀୟଙ୍କ ସହିତ ସୁନ୍ଦରପଦାରେ ରହୁଥିଲେ।

ଆଜି ସଂଧ୍ୟାରେ ପୋଖରୀପୁଟ ଓଭରବ୍ରିଜ୍‌ର ଉଦ୍‌ଘାଟନ ପରେ ଏଭଳି ଅଘଟଣ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସନ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ପରେ ଏଭଳି ଅଘଟଣକୁ ସହଜରେ ଗ୍ରହଣ କରି ପାରିନାହାନ୍ତି, କଂଗ୍ରେସ ଓ ବିଜେପି ଦଳ। ଉଭୟ ଦଳର କର୍ମୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏନେଇ ଏୟାରଫିଲ୍‌ଡ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଏ ସମ୍ପର୍କରେ ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଇନ-ଚାର୍ଜ ଏସିପି ଡିଏସ୍‌ ପ୍ରତାପ କହିଛନ୍ତି ଯୁବକ ଜଣକ ବେଲୁନ୍‌ ଛିଣ୍ଡାଉ ଛିଣ୍ଡାଉ ଲିଚୁ ତାର ଛିଣ୍ଡାଇ ଦେଇଥିଲେ। ଯେଉଁ କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର