ସାପ ଗ୍ୟାଙ୍ଗ୍‌-ଗ୍ରାମବାସୀ ମୁହାଁମୁହିଁ

ଅପରାଧୀଙ୍କ ଗୁଳିଚାଳନାରେ ନିରୀହ ଯୁବକ ମୃତ

ରାଜନଗର : କେନ୍ଦ୍ରାପଡ଼ାର ରାଜନଗରରେ ଆଜି ସାପ ଗ୍ୟାଙ୍ଗ୍‌ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ କବ୍‌ଜାରେ ଥିବା ଜଣେ ଅପରାଧୀକୁ ଖସାଇବା ପାଇଁ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ଗୁଳିଚାଳନା କରିଛନ୍ତି। ଏଥିରେ ଜଣେ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ, ରାଜନଗର ଥାନା ଅନ୍ତର୍ଗତ କଣ୍ତିରା ଗାଁର କିଶୋର କୁମାର ସେଠୀ (୩୫)। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ସହିତ ଲୋକମ‌ାନେ ରାସ୍ତାରୋକ କରିଛନ୍ତି।

ଘଟଣା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ୩୦ରେ ୩ ଜଣ ଦୁର୍ବୃତ୍ତ ଏକ ମାରୁତି ସୁଇଫ୍ଟ କାର୍‌ରେ ଆସି କଣ୍ଡିରାରେ ପହଞ୍ଚିଥିଲେ। ୨ ଜଣ ଯୁବକ ଗାଡ଼ିରେ ବସିଥିବାବେଳେ ସିପୁନ ସ୍ବାଇଁ ନାମକ ଜଣେ ଅପରାଧୀ ଗାଁ ଭିତରକୁ ପଶିଥିଲେ। ହେମନ୍ତ ସେଠୀଙ୍କୁ ଖୋଜି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ସେହି ସମୟରେ ହେମନ୍ତ ନିଦରୁ ଉଠି ମୁହଁ ଧୋଉଥିବାବେଳେ ସିପୁନ ସହିତ ମୁହାଁମୁହିଁ ହୋଇଥିଲା। ସିପୁନ ମାଡ଼ି ବସିବାକୁ ଉଦ୍ୟମ କଲାବେଳେ ହେମନ୍ତ ବସିପଡ଼ିଥିଲେ। ସେଠାରେ ଥିବା ହେମନ୍ତଙ୍କ ଦାଦା ରବୀନ୍ଦ୍ର ସିପୁନକୁ କାବୁ କରିନେଇ ଏକ ଗଛରେ ବାନ୍ଧି ଦେଇଥିଲେ। ଗ୍ରାମବାସୀ ଏକାଠି ହୋଇ ସିପୁନକୁ ନିସ୍ତୁକ ମାଡ଼ ମାରିଥିଲେ।

ଏହାର କିଛି ସମୟ ପରେ ୪ଜଣ ଯୁବକ ଗାଁ ଛକରେ ପହଞ୍ଚିଥିଲେ। ଭୁଜାଲି ଓ ବନ୍ଧୁକ ଧରି ପାଟିତୁଣ୍ଡ କରିବା ସହ ଗ୍ରାମବାସୀଙ୍କୁ ଗୋଡ଼ାଇ ଥିଲେ। ଗ୍ରାମବାସୀ ଏକାଠି ହୋଇ ସେମାନଙ୍କୁ ମୁକାବିଲା କରିବାରୁ ଯୁବକମାନେ ଗାଁରୁ ବାହାରି ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲେ। ରାସ୍ତା ଉପରେ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ଗ୍ରାମବାସୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ସେହି ଗାଁର କିଶୋର କୁମାର ସେଠୀ(୩୫)ଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ କିଶୋର ଟଳି ପଡିଥିଲେ। ପୁଲିସ ପହଞ୍ଚି ଗୁଳିମାଡ଼ରେ ଆହତ କିଶୋରଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଗଛରେ ବନ୍ଧା ହୋଇ ରହିଥିବା ସିପୁନକୁ ଥାନାକୁ ଆଣିଥିଲା। ତା’ ପାଖରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଗାଡିକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାଜନଗର-ତାଳଚୁଆ ରାସ୍ତାର ଜଳି ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ପୁଲିସ୍‌ ଆସିବା ବିଳମ୍ବ ହେବାରୁ ଏପରି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ନଈଯୋର ନିଲାମ ନେଇଥିବା ହେମନ୍ତଙ୍କ ପରିବାର ମଦ ଓ ମାଛ ନଦେବାରୁ ଏପରି କାଣ୍ଡ ଘଟାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ଏହା ପଛରେ ସାପ ଗ୍ୟାଙ୍ଗ୍‌ର ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର