ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ: ଭାଟିରେ ଯୁବକଙ୍କୁ କଚାଡ଼ି ମାରିଲେ ହାତୀପଲ

ବାରିପଦା ସହର ପାଖରେ ୧୪ ହାତୀ, ୨ ମାସରେ ଗଲାଣି ୫ ଜଣଙ୍କ ଜୀବନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି। ଗଲା ୨ ମାସ ଭିତରେ ହାତୀ ଆକ୍ରମଣରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଏବେ ବାରିପଦା ସହର ପାଖରେ ପହଞ୍ଚି ଯାଇଛନ୍ତି ହାତୀପଲ। ମଦ ବାସ୍ନାରେ ମତ୍ତ ହୋଇ ଗତକାଲି ବିଳମ୍ବିତ ରାତିରେ ସହରଠାରୁ ମାତ୍ର ୩ କିମି ଦୂର ମଞ୍ଚାବନ୍ଧାଠାରେ ଥିବା ଏକ ଦେଶୀ ମଦଭାଟିରେ ପଶି ଜଣେ ଯୁବକଙ୍କୁ କଚାଡ଼ି ମାରି ଦେଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ୧୪ଟି ହାତୀ ମଦ ବାସ୍ନା ବାରି ପାଖ ଜଙ୍ଗଲରୁ ବାହାରି ଉକ୍ତ ଦେଶୀ ମଦଭାଟି ନିକଟରେ ପହଞ୍ଚିଥିଲେ। ପଲରେ ଥିବା ଏକ ବିଶାଳ ଦନ୍ତାହାତୀ ମଦଭାଟିର କାନ୍ଥ ଭାଙ୍ଗି ଭିତରେ ଶୋଇଥିବା ବିହାର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ (୩୫)ଙ୍କୁ ଶୁଣ୍ଢରେ ଟେକିଆଣି କଚାଡ଼ି ଦେଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ପହଞ୍ଚି ବହୁ କଷ୍ଟରେ ହାତୀପଲଙ୍କୁ ଘଉଡ଼ାଇଥିଲେ। ଧୀରଜଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗତକାଲି ରାତିରେ ହାତୀପଲ ବାରିପଦା ସହର ଉପକଣ୍ଠ ମହୁଲିଆ ଅଞ୍ଚଳରେ ପଶି ଶ୍ୟାମ ସିଂ ଓ ବାପୁନ ସିଂଙ୍କର ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ହାତୀପଲ ସହରମୁହାଁ ହୋଇଥିବା ବେ‌ଳେ ବନବିଭାଗ କର୍ମଚାରୀ ସେମାନଙ୍କୁ ଅଧାବାଟରୁ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଦେଇଛନ୍ତି। ତେବେ ଏହି ହାତୀପଲ ଯେ କୌଣସି ସମୟରେ ବାରିପଦା ସହର ଭିତରେ ପଶିପାରନ୍ତି ବୋଲି ଆଶଙ୍କା ରହିଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏ ସଂକ୍ରାନ୍ତରେ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ କହିବା କଥା ହେଲା, ହାତୀପଲଙ୍କ ଉପରେ ନଜର ରଖାଯାଇଛି। ସମସ୍ତ କର୍ମଚାରୀଙ୍କୁ ଆଲର୍ଟ କରାଯାଇଛି। ହାତୀପଲ ଥିବା ଅଞ୍ଚଳକୁ କେହି ନଯିବା ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର