ଯୁବକକୁ କଚାଡ଼ି ମାରିଲା ଦନ୍ତା

ଆକ୍ରମଣରେ ଦମ୍ପତି ଆହତ, ବର୍ତ୍ତିଗଲା ପୁଅ

ସୁନ୍ଦରଗଡ଼/ସବଡ଼େଗା : ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ବନାଞ୍ଚଳରେ ପଶି ଏକ ଦନ୍ତାହାତୀ ଜଣେ ଯୁବକକୁ କଚାଡ଼ି ମାରି ଦେଇଥିବାବେଳେ ଦନ୍ତା ଆକ୍ରମଣରେ ଗୋଟିଏ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଏହାଛଡ଼ା ହାତୀଟି ପ୍ରାୟ ୪ଟି ଗାଁରେ ପଶି ଅନେକ କ୍ଷୟକ୍ଷତି ଘଟାଇଛି। ଖବର ପାଇ ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ର ଓ ଅନ୍ୟ ବନ ଅଧିକାରୀ, କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶଙ୍କର ତନ୍ତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚଲାଇଛନ୍ତି।

ଦନ୍ତାଟି କଟିଙ୍ଗଡିହି, ହୁତୁପାନି, ପେରୁଆଭାଡ଼ି ଓ ହମିରପୁର ଗାଁରେ ଲୋକଙ୍କୁ ମାରି ଗୋଡ଼ାଇଥିଲା। କଟିଙ୍ଗଡିହି ଗାଁ ମଣ୍ଡପରେ ମଣ୍ଡପରେ ଶୋଇଥିବା ଶଙ୍କର ତନ୍ତୀ(୪୫)ଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳ‌ରେ ହିଁ ଶଙ୍କରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାଛଡ଼ା ହାତୀଟି ବହୁ ଲୋକଙ୍କ ଘର ଭାଙ୍ଗି ଦେଇଥିଲା ଏବଂ ଗାଁ ସ୍କୁଲ କାନ୍ଥ ଭାଙ୍ଗି ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଖାଇ ସେଠାରୁ ପଳାଇ ଯାଇଥିଲା। ଏହାପରେ ହାତୀଟି ହମିରପୁରର ଗାଁରେ କୁମରମଣି ସାହୁଙ୍କ ଘରର କାନ୍ଥ ଭାଙ୍ଗୁଥିବା ବେଳେ ଘରେ ଶୋଇଥିବା କୁମରମଣି ଓ ତାଙ୍କ ପତ୍ନୀ ପଦ୍ମିନୀ ଜାଣିପାରିଥିଲେ। ସେମାନେ ପୁଅ ସହିତ ଘରୁ ବାହାରି ଦୌଡ଼ି ପଳାଉ ଥିବାବେଳେ ହାତୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଆକ୍ରମଣରେ ଲହୁଲୁହାଣ ହୋଇ ସ୍ବାମୀ ସ୍ତ୍ରୀ ଦୁହେଁ ତଳେ ପଡ଼ିଯିବାରୁ ହାତୀ ସେମାନଙ୍କୁ ଛାଡ଼ି ଆଗକୁ ବଢ଼ିଥିଲା। ତେବେ ସେମାନଙ୍କ ପୁଅକୁ ହାତୀ ଦେଖି ନପାରିବାରୁ ସେ ରକ୍ଷା ପାଇ ଯାଇଥିଲା।

ପରେ ଗୁରୁତର ଆହତ ଦମ୍ପତିଙ୍କୁ ସବଡେଗା ବନପାଳ ବନବିଭାଗ ଟିମ୍‌ ଉଦ୍ଧାର କରି ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କୁମରମଣିଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦନ୍ତାଟି ହୁତୁପାନି ଓ ପେରୁଆଭାଡ଼ି ଗାଁରେ ପଶି ଏକାଧିକ ଘର ଭାଙ୍ଗିଥିବା ସୂଚନା ମିଳିଛି। ଗତକାଲି ଦିନବେଳା ହାତୀଟି ସୁନ୍ଦରଗଡ଼ ସଦର ବନାଞ୍ଚଳରେ ପଶିବା ପରଠାରୁ ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଟ୍ରାକିଂରେ ରଖିଥିଲେ। ତଥାପି ଏହି ଧନଜୀବନ କ୍ଷୟକ୍ଷତିକୁ ଅଟକାଇ ପାରି ନଥିଲେ। ଶେଷ ଖବର ସୁଦ୍ଧା ହାତୀଟି କଟିଙ୍ଗଡ଼ିହି ନିକଟରେ ଇବ୍‌ ନଦୀ ପାରି ହୋଇ ଉଜ୍ୱଳପୁ଼ର ବନାଞ୍ଚଳର ଡାହିନିଡ଼ିହି ଆଡ଼କୁ ଯାଇଛି। ହାତୀ ଉପରେ ବନବିଭାଗ ନଜର ରଖି ତାକୁ ଘଉଡ଼ାଇ ପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର