ନିଜ ବନ୍ଧୁକରୁ ଗୁଳି ଫୁଟି ଯୁବକ ମୃତ

ଜୀବନ୍ତ ଗୁଳି ଓ ଖୋକା ମିଳିଲା; ବନ୍ଧୁକ ଗାଏବ୍‌, ସାଥୀ ଯୁବକର ପତ୍ତା ମିଳୁନି

ବରଗଡ଼/ଅମ୍ବାଭୋନା : ବରଗଡ଼ ଜିଲ୍ଲାରେ ପୁଣି ଗୁଳି ଫୁଟିଛି। ଏଥର ଅମ୍ବାଭୋନା ବ୍ଲକରେ। ମୁଣ୍ଡରେ ଗୁଳି ବାଜିବାରୁ ଅମ୍ବାଭୋନା ଗାଁର ରାକେଶ ବେହେରା (୨୨)ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ରାକେଶ ତାଙ୍କ ମାମୁଘର କଲମୀ ଗାଁକୁ ଯାଇଥିବାବେଳେ ଏହି କାଣ୍ଡ ଘଟିଛି। ତେବେ ରାକେଶ ନିଜେ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି ଫୁଟାଇଥିବା କୁହାଯାଉଛି। ଗୁଳି ତାଙ୍କ ବାମ ପାଖ ମୁଣ୍ଡରେ ବାଜି ଗଳି ଯିବାରୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଛି।

ପୁଲିସ୍ ସୂଚନା ମୁତାବକ, ତାଙ୍କ ଜଣେ ବନ୍ଧୁଙ୍କ ସହ ରାକେଶ କଲମୀ ଗାଁକୁ ଆସିଥିଲେ। ଉଭୟ ପ୍ରଚୁର ମଦ ପିଇଥିଲେ। ପରେ ରାକେଶ ସେଠାରେ ଉତ୍ପାତ କରିଥିଲେ। ମାମୁଘର ଲୋକେ ତାଙ୍କୁ କାବୁ କରିବାକୁ ବିଫଳ ହୋଇଥିଲେ। ରାକେଶର ମା’ ଏବଂ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନେ ସେଠାରୁ ପଳାଇବାକୁ ରାକେଶକୁ କହିଥିଲେ। ହେଲେ ସେ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି ଫୁଟାଇଥିବା ତାଙ୍କ ମା’ ରିପୋର୍ଟରେ ଉଲ୍ଲେଖ କରିଥିବା ଅମ୍ବାଭୋନା ଥାନାଧିକାରୀ ଆଲୋକ ବେହେରା ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଖୋକା ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି। କିନ୍ତୁ ବନ୍ଧୁକ ମିଳିନାହିଁ। ରାକେଶ ସାଂଗରେ ଥିବା ଅଜଣା ଯୁବକ ଉକ୍ତ ବନ୍ଧୁକ ଧରି ଚମ୍ପଟ ମାରିଥିବା ପୁଲିସ୍‌ ସନ୍ଦେହ କରୁଛି।

ପୁଲିସ୍‌ ରେକର୍ଡ ଅନୁସାରେ ରାକେଶ ବେଶ୍‌ କିଛି ଦିନ ବୁର୍ଲାରେ ରହି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା। ବରଗଡ଼ ଟାଉନ୍‌ ଏବଂ ଅମ୍ବାଭୋନା ଥାନାରେ ମଧ୍ୟ ତାର ନାମରେ ମାମଲା ରହିଛି। ପୁଲିସ୍‌ ଗିରଫ ଭୟରେ ସେ ମାମୁଘରେ ଆତ୍ମଗୋପନ କରିଥିବା ଶୁଣିବାକୁ ମିଳୁଛି। କିଛି ଦିନ ପରେ ଗୋଟିଏ ବିବାହ ଉତ୍ସବ ଥିଲା। କିନ୍ତୁ ରାକେଶର କାର୍ଯ୍ୟକଳାପରେ ବିବାହ ଭାଂଗିଯିବା ଭୟରେ ତାକୁ ମାମୁଘର ଲୋକେ ସେଠାରୁ ଯିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ଯେଉଁ ଯୁବକ ରାକେଶ ସାଂଗରେ ଥିଲା, ତାର ପତ୍ତା ମିଳୁନାହିଁ। ସେ ଧରାପଡ଼ିବା ପରେ ମାମଲା ଉପରେ ପରଦା ଉଠିବ ବୋଲି ପୁଲିସ୍‌ କହୁଛି। ଏ ନେଇ ପୁଲିସ୍‌ କେସ ନମ୍ବର ୬୫/୧୯, ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ତନାଘନା ଚଳାଇଛି। ଶବ ବରଗଡ଼ ଡାକ୍ତରଖାନାରେ ବ୍ୟବ‌େଚ୍ଛଦ କରାଯାଇଛି।

ସମ୍ବନ୍ଧିତ ଖବର