ଗତକାଲି ଫାଙ୍କୁଥିଲେ, ଆଜି ମାନିଲା ବନ ବିଭାଗ; ଆତ୍ମରକ୍ଷା ପାଇଁ ହୋଇଥିଲା ବ୍ଲାଙ୍କ ଫାୟାରିଂ

କଳାବାଡ଼ିଆ/ବାରିପଦା : ଗତ ୩୧ ତାରିଖ ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଅଧୀନ ତାଳବନ୍ଧ ରେଞ୍ଜରେ ବନ କର୍ମଚାରୀଙ୍କ ଗୁଳିରେ ବୁରୁଡିହି ଗାଁର ମଇଁଷି ଚରାଳି ଜଗନ୍ନାଥ ହେମ୍ବ୍ରମ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ଗତକାଲି ସନ୍ଧ୍ୟାଯାଏ ବନ କର୍ମଚାରୀ ଗୁଳି ଚଳାଇଥିବା କଥାକୁ ଅସ୍ବୀକାର କରି ଆସୁଥିଲେ ତାଳବନ୍ଧ ରେଞ୍ଜ ଅଧିକାରୀ ଶୈଳେନ୍ଦ୍ର କୁମାର ଦ‌ାସ। ହେଲେ ୨୪ ଘଣ୍ଟା ମଧ୍ୟରେ ବୟାନ ବଦଳାଇଛି ବନ ବିଭାଗ। ଆତ୍ମରକ୍ଷା ପାଇଁ ଶିକାରୀଙ୍କ ଉପରକୁ ବ୍ଲାଙ୍କ ଫାୟାରିଂ କରାଯାଇଥିଲା। ଛତ୍ରଭଙ୍ଗ ଦେଇ ଶିକାରୀମାନେ ପଳାଇ ଯାଇଥିଲେ। ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଥିଲା। ତେବେ ଏହି ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଜଗନ୍ନାଥ ହେମ୍ବ୍ରମ ଗୋରୁ ଚରାଳି ନୁହେଁ ବରଂ ଜଣେ ଶିକାରୀ ଥିଲା ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀ। ବ୍ଲାଙ୍କ ଫାୟରିଂରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଏପଟେ ଏହି ଘଟଣାକୁ ନେଇ ଗତକାଲି ରାତିଠାରୁ ବ୍ରାହ୍ମଣ ଗାଁ ପଞ୍ଚାୟତରେ ଉତ୍ତେଜନା ଲାଗିରହିଛି। ଗଣ୍ଡଗୋଳ ଆଶଙ୍କା କରି ପୁଲିସ ଗତକାଲି ତରବରିଆ ଭାବେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ନେଇ ଯାଇଥିଲା। ଏପଟେ ଆଦିବାସୀ ସମ୍ପ୍ରଦାୟର ୨୦୦ରୁ ଅଧିକ ଲୋକ ଥାନା ଆଖପାଖରେ ମେଳି ବାନ୍ଧିଥିଲେ। ଶବ ବ୍ୟବଛେଦ ହୋଇ ମଧ୍ୟରାତ୍ରିରେ କଡ଼ା ପୁଲିସ ସୁରକ୍ଷା ବଳୟରେ ମଧ୍ୟରେ ଗାଁକୁ ଆସୁଥିଲା ଜଗନ୍ନାଥଙ୍କ ଶବ। ତେବେ ଆଦିବାସୀ ସଂଗଠନର ସଦସ୍ୟମାନେ ଦୋମୁହାଁଣିଠାରେ ରାସ୍ତା ଅବରୋଧ କରିଥିଲେ। ଗଣ୍ଡଗୋଳ ଆଶଙ୍କା କରି ମୟୂରଭଞ୍ଜ ଏସ୍‌ପି ବି. ଗଙ୍ଗାଧର, ଦୁଇଜଣ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ୪ଟି ଥାନାର ଆଇଆଇସି, ୪ ପ୍ଲାଟୁନ ଫୋର୍ସକୁ ନେଇ ଦୋମୁହାଣି ଛକରେ ରାତି ୩ଟାରେ ପହଞ୍ଚିଥିଲେ। ଦୋଷୀଙ୍କ ବିରୋଧରେ ଦୃମ କାର୍ଯ୍ୟାନୁଷ୍ଠାନ, ପରିବାରକୁ ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା, ୩ଟି ଛୁଆଙ୍କ ପାଠପଢ଼ାର ସମସ୍ତ ଦାୟିତ୍ବ ପ୍ରଶାସନ ନେବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେବାପରେ ଶବ ଛାଡ଼ିଥିଲେ ଆନ୍ଦୋଳନକାରୀ। ଆଜି ତହସିଲଦାର ମାଧବ ଚନ୍ଦ୍ର ବିରୁଆ ପହଞ୍ଚି ରେଡକ୍ରସ୍‌ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।

ଜଗନ୍ନାଥ ଗୋରୁ ଚରାଳି ନୁହେଁ ଶିକାରୀ: ବନ ବିଭାଗ
ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ
ଉତ୍ତେଜନା ଆଶଙ୍କାରେ ରାତିସାରା ବୁଲିଲା ଶବ
ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ଏସ୍‌ପି
ମୃତକଙ୍କ ପରିବାରକୁ ଭେଟିଲେ ନେତା, ‌ମନ୍ତ୍ରୀ

ଏଥିସହ ସକାଳଠାରୁ ବୁରୁଡ଼ିହି ଗାଁକୁ ନେତା, ମନ୍ତ୍ରୀଙ୍କ ସୁଅ ଛୁଟିଥିଲା। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନଗଦ ୧ ଲକ୍ଷ ଟଙ୍କା ସହାୟତା ରାଶି ଜଗନ୍ନାଥଙ୍କ ପତ୍ନୀ ଝୀନ ହେମ୍ବ୍ରମଙ୍କୁ ପ୍ରଦାନ କରିଥିଲେ। ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମ୍‌ଏମ୍‌) ରାଜ୍ୟ ସଭାପତି ଅଞ୍ଜନି ସୋରେନ ପହଞ୍ଚି ପରିବାର ବର୍ଗଙ୍କୁ ଭେଟିବା ସହ ତାଳବନ୍ଧ ରେଞ୍ଜର ଶୈଳେନ୍ଦ୍ର ଦାସ ଓ ଚହଲା ରେଞ୍ଜର ଜିତେନ କିସ୍କୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ନିରୀହ ଆଦିବାସୀଙ୍କ ଉପରେ ପ୍ରଶାସନର ଜୁଲମକୁ ବରଦାସ୍ତ କରାଯିବ ନାହିଁ। ଏହି ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବେ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଫାଗୁ ହାଁସଦା, ରାଷ୍ଟ୍ରୀୟ ସଦସ୍ୟ ସୁଗଦା ମୁର୍ମୁ, ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ବାସୁଦେବ ମହାରଣା, ସଂଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ; ଶିମିଳିପାଳ ଜାତୀୟ ଉଦ୍ୟାନର ତାଳବନ୍ଧ ରେଞ୍ଜରେ ଗତ ୩୧ ତାରିଖ ସନ୍ଧ୍ୟାରେ ବନ କର୍ମଚାରୀ ଓ ୩୦ରୁ ଅଧିକ ଶିକାରୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ଗୁଳି ବିନିମୟ ହୋଇଥିଲା। ଶିକାରୀମାନେ ଚମ୍ପଟ ମାରିଥିବା ବେଳେ ବନ କର୍ମଚାରୀମାନେ ଘଟଣାସ୍ଥଳରୁ କିଛି ବନ୍ଧୁକ ଓ ଧନୁତୀର ଧରି ଫେରି ଆସିଥିଲେ। ତେବେ ଗତକାଲି ସକାଳେ ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ଜଗନ୍ନାଥଙ୍କ ମୃତଦେହ ମିଳିଥିଲା। ସେ ମଇଁଷି ଖୋଜିବାକୁ ଜଙ୍ଗଲକୁ ଯାଇଥିବ‌ା ବେଳେ ବନ କର୍ମଚାରୀମାନେ ତାଙ୍କୁ ଗୁଳି କରି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର