ଦଶରଥପୁର : ଦଶରଥପୁର ବ୍ଲକ ବିନ୍ଧାଚାନ୍ଦପୁର-ହଳଦିପଦାଠାରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ମଙ୍ଗଳପୁର ଥାନା କଟିକଟା ଗ୍ରାମର ସ୍ୱର୍ଗତ ବ୍ରଜରାଜ ରାଉଳଙ୍କ ପୁଅ ପ୍ରଭଞ୍ଜନ ରାଉଳ(୨୭)। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ।

Advertisment

ମିଳିଥିବା ଖବର ଅନୁସାରେ ବୁଧବାର ସକାଳୁ ପ୍ରଭଞ୍ଜନ ଘରୁ ଏକ ବାଇକରେ ପାଣିକୋଇଲି ଅଭିମୁଖେ ବାହାରିଥିଲେ। ଏହି ସମୟରେ (ଓଡି ୩୪ ଜି ୮୩୫୫) ତାଙ୍କୁ ଧକ୍କା ଦେଇ ପ୍ରାୟ ୧୫୦ ମିଟର ଘୋଷାରି ନେଇଥିଲା। ହେଲ୍‌ମେଟ୍‌ ପିନ୍ଧିଥିବାରୁ ମୁଣ୍ଡଟି କ୍ଷତିଗ୍ରସ୍ତ ହୋଇନଥିଲା। ମାତ୍ର ସାରା ଶରୀର କ୍ଷତବିକ୍ଷତ ହୋଇଯାଇଥିଲା।

publive-image

ସ୍ଥାନୀୟ ଲୋକେ ପହଞ୍ଚି ହାଇୱାଟିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ପରେ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଯାଜପୁରଟାଉନ-ମଙ୍ଗଳପୁର ଜାତୀୟ ରାଜପଥ ଉପରେ ଯୁବନେତା ପୁଲିନ ପ୍ରକାଶ ପୁହାଣଙ୍କ ନେତୃତ୍ୱରେ ଟାୟାର ଜାଳି ବସିରହିଥିଲେ। ଖବର ପାଇ ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ, ଯାଜପୁର ଆଇଆଇସି ଅଜୟ କୁମାର ଜେନା, ସଦର ଥାନା ଆଇଆଇସି ମାନସରଂଜନ ଚକ୍ର, ମଂଗଳପୁର ଏସଆଇ ହରିଶ ସିଂ, ଏଏସଆଇ ସନ୍ତୋଷ ସିଂ ପ୍ରଭୃତି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମୃତ ଯୁବକଙ୍କ ପରିବାରକୁ ଗାଡ଼ି ମାଲିକ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଦିଆଯାଇଥିଲା।

ପ୍ରଭଞ୍ଜନ ପାଣିକୋଇଲିସ୍ଥ ଟାଟା ମୋଟର୍ସରେ କାର୍ଯ୍ୟ କରୁଥିଲେ। ଦୁଇବର୍ଷ ହେବ ତାଙ୍କର ବିବାହ ହୋଇଥିଲା। ଘରେ ୮ ମାସର ପୁଅ ଓ ପତ୍ନୀ ଅଛନ୍ତି।

ଯାଜପୁରଟାଉନ ଥାନା ପକ୍ଷରୁ ହାଇୱାକୁ ଜବତ କରି ୪୮୦/୨୧ରେ ଦଫା ୨୭୯/୩୦୪(ଏମ)ରେ ମାମଲା ରୁଜୁ କରାଯାଇଛି। ଓଭରଲୋଡ୍‌ ବାଲି ରହିଥିବାରୁ ଚାଲାଣ କଟାଯିବ ବୋଲି ଦଶରଥପୁର ତହସିଲଦାର ସୂଚନା ଦେଇଛନ୍ତି।