ଘରେ ସଙ୍ଗରୋଧରେ ଥିବା ଯୁବକ ମୃତ

ରାଜନଗର : କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ ରାଜପୁର ପଞ୍ଚାୟତ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗାଁର ଗିରିଧାରି ଦାସଙ୍କ ପୁଅ ମୋହନ ଚନ୍ଦ୍ର ଦାସ (୩୨)ଙ୍କର ଆଜି ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରୁ ଫେରି ଘରେ ସଙ୍ଗରୋଧରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବାରୁ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ମୁତାବକ, ମହାରାଷ୍ଟ୍ରରେ ପାଣିପାଇପ୍‌ କାମ କରୁଥିବା ମୋହନ ‌ସେଠାରୁ ଫେରିବାପରେ ଗରଦପୁର ବ୍ଲକ୍‌ରେ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହିଥିଲେ। ସଂଗରୋଧ କେନ୍ଦ୍ରରୁ ଫେରି ଘରେ ସଙ୍ଗରୋଧରେ ରହିବାର ଆଜି ୭ ଦିନ ପୂରିଥିଲା।

ସକାଳେ ପୋଷାକ ସଫା କରି ଘର ନିକଟରେ ଥିବା ନଦୀକୂଳରେ ଶୁଖାଇଥିଲେ। ମଧ୍ୟାହ୍ନ ୧୨ଟା ବେଳେ ସେଠାରୁ ପୋଷାକ ଆଣି ଘରକୁ ଫେରୁଥିବାବେଳେ ହଠାତ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ କରୋନାର କୌଣସି ଲକ୍ଷଣ ନଥିବା ଦର୍ଶାଇ କର୍ତ୍ତୃପକ୍ଷ ତାଙ୍କର ସ୍ବାବ ସଂଗ୍ରହ ପ୍ରକ୍ରିୟାକୁ ଟାଳି ଦେଇଛନ୍ତି। ମୋହନ ବିବାହିତ ଓ ତାଙ୍କର ୧ ମାସର ଶିଶୁପୁତ୍ର ରହିଛି। ପୁଲିସ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର