ଯୋକଡିଆ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ଗତକାଲି ଏକ ହତ୍ୟାକାଣ୍ଡ ଘଟିଛି। ମଦ ନିଶାରେ ଥିବା ଏକ ଦଂପତି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେେଲ, ଶ୍ରୀବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଦିଆନଚକ ଗ୍ରାମର ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)। ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଗତକାଲି ଶ୍ୟାମସୁନ୍ଦର କାନପୁର ବନ୍ଧ ବଜାରକୁ ବୁଲିବା ପାଇଁ ଯାଇଥିଲା। ସେଠାରେ ଏକ ଅସ୍ଥାୟୀ ଚାଳଘର କରି ରହୁଥିବା କୋହ୍ଲ ସଂପ୍ରଦାୟର ଦଂପତି ରମେଶ ମୁଣ୍ଡା ଓ ବେଲ ମୁଣ୍ଡାଙ୍କ ପାଖକୁ ଯାଇ ଶ୍ୟାମସୁନ୍ଦର ଦେଶୀ ମଦ ପିଇଥିଲେ। ପୂର୍ବରୁ ଏହି ଦଂପତି ମଦ ନିଶାରେ ଥିଲେ। ସେଠାରେ କୌଣସି କାରଣରୁ ଶ୍ୟାମସୁନ୍ଦରଙ୍କ ସହ ଏହି ଦଂପତିଙ୍କ ଝଗଡା ହୋଇଥିଲା। ଶ୍ୟାମସୁନ୍ଦର ଖରସ୍ରୋତା ନଦୀବନ୍ଧ ରାସ୍ତା ଆଡକୁ ଚାଲିଯାଉଥିବା ସମୟରେ ଏହି ଦଂପତି ଅତର୍କିତ ଭାବେ ଶ୍ୟାମସୁନ୍ଦରଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ଶ୍ୟାମସୁନ୍ଦରଙ୍କ ମୁଣ୍ଡ ଫାଟି ତଳେ ପଡ଼ିଯିବା ପରେ ମଧ୍ୟ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ତେବେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ଅଚେତ ଅବସ୍ଥାରେ ଛାଡ଼ି ଅଭିଯୁକ୍ତ ଦଂପତି ସେଠାରୁ ଚମ୍ପଟ ମାରିଥିଲେ। ପରେ ପରିବାର ଲୋକେ ଶ୍ୟାମସୁନ୍ଦରଙ୍କୁ ଯାଜପୁର ରୋଡ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣା ପରେ ଉତ୍ତେଜିତ ଗ୍ରାମବାସୀ ଦମ୍ପତିଙ୍କ ଅସ୍ଥାୟୀ ଚାଳ ଛପର ଘରକୁ ଭାଙ୍ଗି ଦେଇଛନ୍ତି। କୁଆଖିଆ ପୁଲିସ କେସ ନମ୍ବର ୨୭୧/୧୯ରେ ମାମଲା ରୁଜୁ କରିଛି। ପରେ ଅଭିଯୁକ୍ତ ଦଂପତିଙ୍କୁ ଆଦମପୁର ଗ୍ରାମରୁ ଉଠାଇ ଆଣି ଜେରା କରୁଛି। ଶବକୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/dead-5.jpg)