ସମ୍ବଲପୁର : ସମ୍ବଲପୁରରେ ରାସ୍ତା ଉପରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ରାସ୍ତା ମଝିରେ ଛୁରାମାଡ଼ କରି ହତ୍ୟା କରାଯାଇଛି। ସମ୍ବଲପୁର ଧନୁପାଲି ଥାନା ତୁରୀପଡ଼ା-ପୁଟିବନ୍ଧ ମଝିରେ ଘଟିଥିବା ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୃତକ ଜଣକ ହେଉଛନ୍ତି ତୁରୀପଡ଼ାର ବାସୁଦେବ ପ୍ରଧାନଙ୍କ ପୁଅ ତଫିନ୍‌ ପ୍ରଦାନ(୨୫ ବର୍ଷ)। ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କ ସହ ୨ ଜଣ ଯୁବକ ଶୁକ୍ରବାର ସକାଳେ ତଫିନ୍‌ଙ୍କୁ କୌଣସି କାମ ପାଇଁ ଡାକିଥିଲେ। ଯୁବତୀ ଜଣକ ସ୍କୁଟି ଷ୍ଟାର୍ଟ କରି ଅଟକିଥିବାବେଳେ ୨ ଯୁବକ ତଫିନ୍‌ଙ୍କ ବେକରେ ଛୁରାମାଡ଼ କରିଥିଲେ। ଏହାପରେ ସଂପୃକ୍ତ ଦୁଇ ଯୁବକଯୁବତୀଙ୍କ ସହିତ ସ୍କୁଟିରେ ବସି ଫେରାର୍‌ ହୋଇଯାଇଥିଲେ।

Advertisment

ତାପରେ ତଫିନ୍‌ ନିଜେ ବେକରେ କପଡ଼ା ବାନ୍ଧି ବଞ୍ଚାଇବାକୁ ନେହୁରା ହୋଇଥିଲେ।  ରାସ୍ତାରେ ଯାଉଥିବା କିଛି ଲୋକ ପୁଲିସ ସହାୟତାରେ ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ପଟେ ପ୍ରେମ ଓ ନିଶାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ କାରଣ ସ୍ପଷ୍ଟ ହୋଇ ନଥିବା ପୁଲିସ କହିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଅନ୍ୟପଟେ ଉତ୍ତ୍ୟକ୍ତ ଲୋକେ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଧନୁପାଲି ନିକଟରେ ଦିନ ୨ଟାରୁ ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ। ସମ୍ବଲପୁର ସଦର ଏସ୍‌ଡିପିଓ ପ୍ରଦୀପ ସାହୁ, ଟାଉନ୍‌ ଥାନାଧିକାରୀ ପ୍ରକାଶ କର୍ଣ୍ଣ, କ୍ଷେତରାଜପୁର ଥାନାଧିକାରୀ ମମତା ପ୍ରଧାନ ପ୍ରମୁଖ ସେଠାକୁ ଯାଇ ବୁଝାସୁଝା କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟାରେ ରାସ୍ତାରୋକ ହଟିଥିଲା।