ମୁରିବାହାଲ : ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଜୀବନ୍ତ ବିଦ୍ୟୁତ୍‌ ତାରରେ ଲାଗି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଘୁ‌ଷୁରାମୁଣ୍ଡା ଗାଁର ସତ୍ୟନାରାୟଣ ଦାଶ (୪୭ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୋଖରୀରେ ଲୁଚାଇଥିବା ଚୋରା ଶାଗୁଆନ ଗଣ୍ଡି ଆଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ଘୁଷୁରାମୁଣ୍ଡା ଗାଁର ସତ୍ୟନାରାୟଣ ଓ ଡେଙ୍ଗପଦର ଗାଁର ସୁରେଶ ଭୋଇ ବର୍ଷ ବର୍ଷ ଧରି ଜଙ୍ଗଲରୁ ବେଆଇନ ଭାବେ ଶାଗୁଆନ ଗଛ କାଟି କାଠ ବିକ୍ରି କରିଥାନ୍ତି। ସେମାନେ କେତେକ ଶାଗୁଆନ ଗଣ୍ଡିକୁ ମୁରିବାହାଲ ତ୍ରିଖୁଟି ଛକ-ଗମ୍ଭାରୀଖୋଲା ରାସ୍ତାର ଆମମୁଣ୍ଡା ପୋଖରୀ ପାଣି ଭିତରେ ଲୁଚାଇ ରଖିଥିଲେ। ବୁଧବାର ରାତିରେ କାଠଗଣ୍ଡି ଆଣିବାକୁ ସେମାନେ ପୋଖରୀକୁ ଯାଇଥିଲେ। ପୋଖରୀ ପାଣି ପାଖରେ ଯାଇଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ ତାରରୁ ବିଦ୍ୟୁତ୍‌ ସଂଯୋଗ ଆଣି ବାରହା ଶିକାର ପାଇଁ ଶିକାରୀମାନେ ବିଛାଇଥି‌ଲେ। ଏହି ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସହଯୋଗୀ ସୁରେଶ ଘଟଣାସ୍ଥଳରୁ ଫେରାର ହୋଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁବାର ସକାଳୁ ଆଇଆଇସି କମଳ ଲୋଚନ ବେହେରାଙ୍କ ନେତୃତ୍ୱରେ ଶବ ଉଦ୍ଧାର କରି କଣ୍ଟାବାଞ୍ଜିକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତକଙ୍କ ପୋଷାକ ଓ ବାର୍‌ହା ଶିକାର ଉପକରଣ ପୁଲିସ ଜବତ କରିଥିଲା। ମୃତକଙ୍କ ଭାଇ ଜୟପ୍ରକାଶ ଦାଶଙ୍କ ଏତଲା ଆଧାରରେ ପୁଲିସ ଥାନା କେସ୍‌ ନମ୍ବର ୬୩/୨୩ ରୁଜୁ କରି ଏଏସ୍‌ଆଇ ଜଗଦୀଶ ମହାନନ୍ଦ ମାମଲାର ତଦନ୍ତ କରୁଛନ୍ତି। ମୃତକଙ୍କ ପରିବାରରେ ସ୍ତ୍ରୀ ଓ ଦୁଇ ପୁଅ ଥିବା ଜଣାପଡ଼ିଛି। ଘଟଣାସ୍ଥଳକୁ ବିଜେଡି ନେତା ଅଜୟ ଦାସ ମଧ୍ୟ ପହଞ୍ଚିଥିଲେ। ସହଯୋଗୀ ସୁରେଶ ଭୋଇଙ୍କୁ ଅଧିକ ପଚରାଉଚରା ପରେ ଜମାନତରେ ପୁଲିସ ଛାଡ଼ିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।