ପଟ୍ଟାମୁଣ୍ତାଇ : ମୃତ୍ୟୁ ଯେ କାହା ପାଇଁ କେତେବେଳେ କେଉଁ ରୂପରେ ଆସେ ତାହା କଳନା କରିବା ମୁସ୍କିଲ। ମୃତ୍ୟୁର ଏଭଳି ଅକଳ୍ପନୀୟ ରୂପ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ବୋଲିଂ କରୁ କରୁ ଜଣେ ଯୁବ ଖେଳାଳି ପଡ଼ିଆରେ ଟଳି ପଡ଼ିଛନ୍ତି। ସୁପର୍‌ଓଭର୍‌ର ଶେଷ ବଲ୍‌ ପକାଇବା ପରେ ତାଙ୍କ ଜୀବନ ଅକାଳରେ ଶେଷ ହୋଇଯାଇଛି। ଏମିତି ଦାରୁଣ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Advertisment

publive-image

ସୂଚନା ଅନୁସାରେ, ରବିବାର ଦିନ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଦାଣ୍ଡିସାହିଠାରେ ଟି-ଟ୍ବେଣ୍ଟି ଟୁର୍ନାମେଣ୍ଟ୍‌ର ଫାଇନାଲ ମ୍ୟାଚ୍‌ରେ ତରଡିପାଳ ଓ ଫୁଲପାଟଣା ମୁହାଁମୁହିଁ ହୋଇଥିଲେ। ଯାଜପୁର ବରୀ ବ୍ଲକ୍‌ ଅନ୍ତର୍ଗତ ବାରିବିଲି ଗ୍ରାମ (ପଢ଼ିହାରୀସାହି)ର ଦାମୋଦର ପରିଡ଼ାଙ୍କ ପୁଅ କାହ୍ନୁଚରଣ(୧୯) ତରଡ଼ିପାଳ ଟିମ୍‌ ପକ୍ଷରୁ ଖେଳୁଥିଲେ। ମ୍ୟାଚ୍‌ ଟାଇ ହେବାରୁ ସୁପରଓଭର୍‌ ଖେଳାଯାଇଥିଲା। ୪ ଓଭର୍‌ବିଶିଷ୍ଟ ସୁପରଓଭର୍‌ର ଶେଷ ଓଭର୍‌ ପକାଉଥିଲେ କାହ୍ନୁଚରଣ। ୫ଟି ବଲ୍‌ ପରେ ଶେଷ ବଲ୍‌ ପକାଇବାକୁ ଦୌଡ଼ିବା ଆରମ୍ଭ କରୁକରୁ କାହ୍ନୁଚରଣ ହଠାତ୍‌ ପଡ଼ିଆରେ ଟଳି ପଡ଼ିଥିଲେ। କେହି କିଛି ବୁଝିବା ଆଗରେ ସେ ଚେତା ହରାଇ ସାରିଥିଲେ। ସାଥୀ ଖେଳାଳିମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଅଣ୍ଢରା ମେଡିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଦୁଃଖଦ ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନ ଥିବାବେଳେ ଖବର ପାଇଁ କାହ୍ନୁଚରଣଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିଲା। ବରୀ ଅଂଚଳରୁ ଶହ ଶହ ଯୁବକ ଅଣ୍ଢରା ମେଡିକାଲରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ।