ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣା : ଶବ ସଂରକ୍ଷିତ, ରିପୋର୍ଟକୁ ଅପେକ୍ଷା

ପୋଲସରା/ବ୍ରହ୍ମପୁର : ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ବିତିଛି। ମୃତ ପ୍ରଫୁଲ୍ଲ ବେହେରା(୪୦)ଙ୍କ ସ୍ବାବ୍‌ ରିପୋର୍ଟ ଆସି ନ ଥିବାରୁ ଶବ ଏମ୍‌କେସିଜି ବଡ଼ ମେଡିକାଲରେ ସଂରକ୍ଷିତ ରଖାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପଯୁକ୍ତ ଚିକିତ୍ସା ସୁବିଧା ନ ମିଳିବାରୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପତ୍ନୀ ରୀନା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲା ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି। ଘଟଣାର ବିଦ୍ଧିବଦ୍ଧ ତଦନ୍ତ ଓ ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି କମିସନଙ୍କ ନିକଟରେ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ଢୁଙ୍କାପଡ଼ା ଗୁପ୍ତେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରର ସମସ୍ତଙ୍କ ନମୁନା ପରୀକ୍ଷା କରିବା ଲାଗି ଅନ୍ତେବାସୀମାନେ ଦାବି କରିଛନ୍ତି।

ପୋଲସରା ବ୍ଲକ୍‌ ମଧୁପଲ୍ଳୀ ପଞ୍ଚାୟତ ମଧୁପଲ୍ଲୀ ଗ୍ରାମ ମାଟିଆସାହିରେ ପ୍ରଫୁଲ୍ଲଙ୍କ ଘର। ତାଙ୍କର ପତ୍ନୀ ଓ ୪ ଝିଅ ଅଛନ୍ତି। ବଡ଼ ଝିଅର ବୟସ ୧୧ ଓ ସାନ ଝିଅ ୮ମାସର। ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସୁରତରେ ୨୦ବର୍ଷ ହେଲା କାମ କରି ଆସୁଥିଲେ। ଗତ ୬ତାରିଖରେ ସୁରତରୁ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଫେରିବା ପରେ ଅନ୍ୟ ୬୦ଜଣଙ୍କ ସହିତ ଢୁଙ୍କାପଡ଼ା ନୋଡ଼ାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ତାଙ୍କ ମୃତ୍ୟୁ ପରେ କୁନି କୁନି ୪ଝିଅଙ୍କୁ ନେଇ କିଭଳି ପରିବାର ଚଳାଇବେ ସେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ରୀନା। ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବାରୁ ସରକାରୀ ସହୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଚିକିତ୍ସା ଅବ‌ହେଳାରୁ ସଙ୍ଗରୋଧ କେନ୍ଦ୍ରରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ସୂଚନା ଅଧିକାରୀ କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ସ୍ବତନ୍ତ୍ର କମିଟି ଗଠନ କରି ଏହି ଘଟଣାର ତଦନ୍ତ ଲାଗି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ସେ କମିସନଙ୍କୁ ନିବେଦନ କରିଛନ୍ତି। ଏଥିସହ ମୃତକଙ୍କ ପରିବାରଙ୍କୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ‌ଦେବାକୁ ନିବେଦନ କରିଛନ୍ତି। ଏହି ଅଭିଯୋଗକୁ ଏନ୍‌ଏଚ୍‌ଆରସି ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧୁପଲ୍ଲୀ ଗ୍ରାମକୁ ଯାଇ ପ୍ରଫୁଲ୍ଲଙ୍କ ପରିବାରକୁ ଭେଟି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର