ସଙ୍ଗରୋଧ କକ୍ଷରେ ସନ୍ଦିଗ୍ଧଙ୍କ ମୃତ୍ୟୁ: କରୋନା ପରୀକ୍ଷା ପାଇଁ ସ୍ବାବ୍‌ ସଂଗ୍ରହ ହୋଇନଥିଲା

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନା ସଙ୍ଗରୋଧ କକ୍ଷରେ ଚିକିତ୍ସାଧୀନ ଜଣେ ସନ୍ଦିଗ୍ଧ ଯୁବକଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି। ତେବେ କରୋନା ପରୀକ୍ଷା ପାଇଁ ମୃତକଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ନଥିଲା। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଯୁବକଙ୍କ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଯୁବକ ଜଣକ ଟିବିରେ ପୀଡ଼ିତ ଥିଲେ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ଭଞ୍ଜନଗର ଅଞ୍ଚଳର ଜଣେ ୩୩ବର୍ଷ ବୟସ୍କ ଯୁବକ ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେ ଟିବିରେ ପୀଡ଼ିତ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପ୍ରାୟ ୧୦ଦିନ ହେଲା ସେ ଡାକ୍ତରଖାନାରେ ଭର୍ତ୍ତି ରହିଥିଲେ। ସୁସ୍ଥ ଅନୁଭବ କରିବା ପରେ ଗତ ୩ଦିନ ତଳେ ପରିବାରବର୍ଗ ବିଭାଗୀୟ ଅଧିକାରୀଙ୍କ ଅନୁମତି ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଆମ୍ବୁଲାନ୍ସରେ ଓଡ଼ିଶା ଆଣିଥିଲେ। ଯୁବକ ଜଣକ ଘରେ ଥିବା ବେଳେ ଗତରାତିରେ ହଠାତ୍‌ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ତାଙ୍କୁ କାଜୁଆଲ୍‌ଟିରେ ଖୋଲା ଯାଇଥିବା ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ସ୍ବାବ୍‌ ନମୁନା ସଂଗ୍ରହ ହୋଇଥାନ୍ତା। ହେଲେ ଭୋର୍‌ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଟିବିରେ ପୀଡ଼ିତ ଥିବା ବେଳେ ତାଙ୍କର ଅନ୍ୟାନ୍ୟ ସମସ୍ୟା ରହିଥିଲା। କିଛିଦିନ ତଳେ ବଡ଼ ଡାକ୍ତରଖାନା ସଙ୍ଗରୋଧ କକ୍ଷରେ ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। କରୋନା ପରୀକ୍ଷାରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ସମ୍ବନ୍ଧିତ ଖବର