ଏସ୍‌ସିବି କରୋନା ୱାର୍ଡରେ ଚିକିତ୍ସିତ ବ୍ୟକ୍ତିଙ୍କ ମୃତ୍ୟୁ

ସ୍ୱାବ୍‌ ରିପୋର୍ଟକୁ ଅପେକ୍ଷା; ପଡ଼ି ରହିଛି ମୃତଦେହ

କଟକ : ଏସ୍‌ସିବି ସ୍ବତନ୍ତ୍ର କରୋନା ୱାର୍ଡର ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଏବଂ ତାଙ୍କ ବୟସ ପାଖାପାଖି ୫୮ ବୋଲି କୁହାଯାଉଛି। ସେ କିନ୍ତୁ ନିକଟ ଅତୀତରେ କେବେ ରାଜ୍ୟ ବାହାରକୁ ଯାଇ ନାହାନ୍ତି। ତାଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସି ନ ଥିବାରୁ ତାଙ୍କ ମୃତଦେହକୁ ଆଇସିୟୁରୁ ବାହାର କରି ସୁରକ୍ଷିତ ଭାବେ ରଖା ଯାଇଛି। ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲା। ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଥିଲା। ଗତକାଲି ରାତିରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏଠାକୁ ଅଣା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଯେହେତୁ ସେ କରୋନା ୱାର୍ଡରେ ଚିକିତ୍ସିତ ହେଉଥିଲେ, ତେଣୁ ତାଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଭଳି ସ୍ଥିତିରେ ମୃତକଙ୍କ ପରିବାର ମଧ୍ୟ ଆଶଙ୍କାରେ ଅଛନ୍ତି। ଏବେ ସମସ୍ତଙ୍କ ନଜର ତାଙ୍କ ସ୍ବାବ୍‌ ରିପୋର୍ଟ ଉପରେ ରହିଛି।

କଟକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ନମୁନା ନେଗେଟିଭ୍‌
କଟକ : ଏସ୍‌ସିବିରେ କରୋନା ପରୀକ୍ଷା ଆଜି ୨୮ଟି ନମୁନା ସଂଗ୍ରହ କରାଯାଇଛି। ଗତକାଲି ହୋଇଥିବା ସମସ୍ତ ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। କଟକର ଯେଉଁ ନିଜାମୁଦ୍ଦିନ୍‌ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପରୀକ୍ଷା ରିପୋର୍ଟ ‌ମଧ୍ୟ ନେଗେଟିଭ୍‌ ଆସିଛି। ଅନ୍ୟପଟେ, ଏସ୍‌ସିବିରେ ଖୋଲା ଯାଇଥିବା ସ୍ୱତନ୍ତ୍ର କରୋନା ୱାର୍ଡକୁ ଆଜି ୩୦ରୁ ଅଧିକ ଲୋକ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଚିକିତ୍ସା ଲାଗି କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର