ରେଳଧାରଣାରେ ଶୋଇଥିବାବେଳେ ମାଡ଼ିଗଲା ଟ୍ରେନ୍ : ଯୁବକ ମୃତ, ୨ ବର୍ତ୍ତିଗଲେ

ଯୋଡ଼ା : ଦକ୍ଷିଣପୂର୍ବ ରେଳପଥର ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ତା ନିକଟରେ ରେଳଧାରଣା ଉପରେ ଶୋଇଥିବା ସମୟରେ ଟ୍ରେନ୍‌ ମାଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଝାଡ଼ଖଣ୍ଡ ନୂଆମୁଣ୍ଡି ଥାନା ଅନ୍ତର୍ଗତ ‌ସାରବିଲ ଗ୍ରାମର ସାୱନ ପୂର୍ତ୍ତି। ରେଳଧାରଣାରେ ଶୋଇଥିବା ଅନ୍ୟ ଦୁଇଜଣ ଯୁବକ କମାରଯୋଡ଼ାର ଚିଣ୍ଟୁ କାଳନ୍ଦୀ ସାମାନ୍ୟ ଆହତ ହୋଇଥିବା ବେଳେ ସାରବିଲ ଗ୍ରାମର ଶିବ ଦାସଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରେଳଧାରଣାରେ ସାୱନ, ଚିଣ୍ଟୁ ଓ ଶିବ ଶୋଇଥିଲେ। ରାତି ପ୍ରାୟ ଗୋଟାଏବେ‌ଳେ ହଠାତ୍‌ ଏକ ମାଲ୍‌ବାହୀ ଟ୍ରେନ୍‌ ମାଡ଼ିଆସିଥିଲା। ଚିଣ୍ଟୁ ଓ ଶିବ ନିଦରୁ ଉଠି ନିଜ ଜୀବନ ବଞ୍ଚାଇଥିବାବେଳେ ଗାଢ଼ ନିଦରେ ଶୋଇଥିବା ସାୱନଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ଅପରାହ୍‌ଣ ପ୍ରାୟ ୧୦ଟା ବେଳେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ପଠାଇଛି। ଏନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୨୭/୨୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ସମ୍ପୃକ୍ତ ଯୁବକମାନେ କାହିଁକି ରେଳଧାରଣାରେ ଶୋଇଥିଲେ, ପୁଲିସ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର