ବାଣ ଫୁଟାଇବାକୁ କେନ୍ଦ୍ର କରି ବଚସାରୁ ସଂଘବଦ୍ଧ ଆକ୍ରମଣ: ଯୁବକଙ୍କୁ ପିଟିପିଟି ହତ୍ୟା, ପୂର୍ବତନ କର୍ପୋରେଟର ଅଟକ

ଭୁବନେଶ୍ୱର:  ଆଲୋକର ପର୍ବ ଦୀପାବଳିକୁ ନେଇ ସାରାରାଜ୍ୟ ଉତ୍ସବମୁଖର ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଛି । ବାଣ ଫୁଟାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ସୁନ୍ଦରପଦା ବିଡିଏ ଅଂଚଳର ଅମରେଶ ନାୟକ । ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପୂର୍ବତନ କର୍ପୋରେଟର ମଣ୍ଟୁ ଓରଫ ଦେବୀ ନନ୍ଦକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ଅନୁସାରେ, ଦୀପାବଳୀ ଅବସରରେ ଅମରେଶ ଓ ସହଯୋଗୀ ଚନ୍ଦନ, ପୁଟୁଲ ଆଦି ଏକାମ୍ର କଲେଜ ନିକଟରେ ଭୋଜି କରୁଥିଲେ । ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ । ଏହାକୁ ସୁନ୍ଦରପଦାର ଜଣେ ଯୁବକ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକଜଣକ ସେଠାରୁ ପଳାଇଯାଇଥିଲେ ।ରାତି ପ୍ରାୟ ୧୨ଟା ବେଳେ ୬୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ନନ୍ଦଙ୍କ ସହ ୨୦ରୁ ଅଧିକ ଯୁବକ ସେଠାରେ ପହଞ୍ଚି ଅମରେଶ ଓ ତାଙ୍କ ସହଯୋଗୀକୁ ଅତର୍କିତ ଆକ୍ରମଣ କରିଥିଲେ ।
ହକିଷ୍ଟିକ, ଲୁହାଛଡ଼ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ପିଟିଥିଲେ । ଜୀବନ ବଞ୍ଚାଇବାକୁ ଦୌଡି ପଳାଇଯାଉଥିବା ବେଳେ ଦୁର୍ବୃତ୍ତମାନେ ଅମରେଶକୁ ଗୋଡାଇ ଗୋଡାଇ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ପିଟିଥିଲେ । ଏପରିକି ଘନଘନ ବୋମା ମାଡ ବି କରିଥିଲେ । ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ । ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଖବରପାଇ ପୁଲିସ ଓ ଅମରେଶଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ପୂର୍ବତନ କର୍ପୋରେଟର ଦେବୀ ନନ୍ଦଙ୍କ ସହ ଏକାଧିକ ଲୋକଙ୍କୁ ହେପାଜତକୁ ନେଇ ପଚାରାଉଚରା କରୁଛି ।
ଅନ୍ୟପଟେ ପୁଲିସ ଓ ସାଇଂଟିଫିକ ଟିମ ଘଟଣାର ଛାନଭିନ କରୁଛି । ଘଟଣାସ୍ଥଳ ଓ ଆଖପାଖ ଅଂଚଳରୁ ପୁଲିସ ୫ଟି ଅଫୁଟା ବୋମା ଜବତ କରିଛି । ତେବେ କିଏ ଓ କଣ ପାଇଁ ସେଠାରେ ବୋମା ରଖିଛି, ତାହାର ମଧ୍ୟ ତଦନ୍ତ କରାଯାଉଛି । ଅପରପକ୍ଷରେ ପୁଲିସ ପୂର୍ବତନ କର୍ପୋରେଟର ଓ ତାଙ୍କ ସହଯୋଗୀଙ୍କୁ ଅଟକ ଘଟଣାକୁ ବିରୋଧ କରି ଲୋକେ ଥାନା ଘେରାଉ କରିଥିଲେ । ତୁରନ୍ତ ପୂର୍ବତନ କର୍ପୋରେଟରଙ୍କୁ ଛାଡିବା ଓ ହତ୍ୟାକାରୀକୁ ଗିରଫ ଦାବି କରି ଲୋକେ ହୋହହ୍ଲା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ସେମାନଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଛି । ତେବେ ଦୀପାବଳି ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସହର ସାରା ପୁଲିସ ପାଟ୍ରୋଲିଂ ମଧ୍ୟ କରାଯାଉଥିଲା । ଏସବୁ ସ୍ଥିତିରେ ଏକ ହତ୍ୟାକାଣ୍ଡ ଘଟିବା ଓ ପୁଲିସ ଘଟଣାର ଟେର ନପାଇବା ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର