ଯୁବକଙ୍କ କ୍ଷତାକ୍ତ ମୃତଦେହ ରେଳ ଧାରଣାରୁ ଉଦ୍ଧାର, ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ପରଟା ଗ୍ରାମ ନିକଟସ୍ଥ ବିଶାଖାପାଟଣା-କିରଣ୍ଡୁଲ ଲାଇନ୍‌ର ରେଳ ଧାରଣାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନନ୍ଦପୁର ପୁଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ କହିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି।

ସୂଚନା ଅନୁଯାୟୀ, ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପରଟା ଗ୍ରାମର ଗୁପ୍ତ ଗୋଲରିଙ୍କ ପୁଅ ଗିରିଧର ଗୋଲରି(୧୯) ଯୁକ୍ତ ଦୁଇ ପାଠ ପଢ଼ିବା ପରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଗତ କିଛି ଦିନ ତଳେ ଗିରିଧର ଗ୍ରାମକୁ ଫେରିଥିବା ବେଳେ ଗତକାଲି ରାତିରେ ତାଙ୍କ ମୃତଦେହ ଗ୍ରାମ ନିକଟସ୍ଥ ବିଶାଖାପାଟଣା-କିରଣ୍ଡୁଲ ଲାଇନ୍‌ର ରେଳ ଧାରଣା ଉପରେ ପଡ଼ିଥିଲା। ମୃତ ଗିରିଧରଙ୍କ ମୁଣ୍ଡ, ବେକ ଏବଂ ପିଠିରେ କ୍ଷତ ଚିହ୍ନ ଥିବା ବେଳେ ଗିରିଧରଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଘରକୁ ନେଇ ଆସିଥିଲେ। ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ନନ୍ଦପୁର ପୁଲିସ ପରଟା ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏଥିସହ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏନେଇ ନନ୍ଦପୁର ଥାନାରେ କେଶ୍ ନଂ-୨୮/୨୧ ଏବଂ ଦଫା ୩୦୨ ଓ ୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ଏବଂ ଏହି ଘଟଣାରେ ୫ରୁ ୬ଜଣ ସମ୍ପୃକ୍ତ ଥିବା ନନ୍ଦପୁର ପୁଲିସ ପକ୍ଷରୁ ଜଣା ପଡ଼ିଛି। ଯଥାଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଆଇଆଇସି କପିଳେଶ୍ୱର ବେହେରା ସୂଚନା ଦେଇଛନ୍ତି।ତଦନ୍ତରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ଆଇଆଇସି କପିଳେଶ୍ୱର ବେହେରା, ଏସ୍‌ଆଇ ମାନସ କୁମାର ଭୋଇ, ରାମ ନାୟକ, କନେଷ୍ଟବଳ ଏସ.ଏସ ରାଓ ପ୍ରମୁଖ ସାମିଲ ଥିବା ବେଳେ ସନ୍ଧାନୀ କୁକୁର ରେଳ ଧାରଣାରୁ ମୃତ ଯୁବକଙ୍କ ଘର ପର୍ଯ୍ୟନ୍ତ ଯାଇ ଅଟକି ଯାଇଥିବା ଜଣା ପଡ଼ିଛି। ପୁଲି ଘଟଣାର ତଦନ୍ତ କରୁଛି ଏବଂ ଶୀଘ୍ର ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବ ବୋଲି ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର