ପୁରୀ ମେରାଇନ୍‌ ଡ୍ରାଇଭ୍‌ରେ ଯୁବକର ମୁଣ୍ଡବିହୀନ ଶବ ମିଳିବା ଘଟଣା : ଶେଷ ପ୍ରତ୍ୟକ୍ଷଦର୍ଶୀ ଆଖି ବୁଜିଲେ, ମିଳିଲାନି ଯୁବତୀଙ୍କ ପରିଚୟ

କଟକ : ପୁରୀ- କୋଣାର୍କ ମେରାଇନ୍‌ଡ୍ରାଇଭ୍‌ରେ ଯୁବକଙ୍କ ମୁଣ୍ଡବିହୀନ ଶବ ମିିଳିବା ଘଟଣାର ଶେଷ ପ୍ରତ୍ୟକ୍ଷଦର୍ଶୀ ଆଜି ଆଖିବୁଜିଲେ। ୨୬ ଦିନ ହେଲା ଏସ୍‌ସିବି ଆଇସିୟୁରେ ଚିକିତ୍ସିତ ହେଉଥିବା ଅପରିଚିତ ଯୁବତୀଙ୍କ ମୃତ୍ୟୁପରେ ଏହି ମାମଲା ଏକପ୍ରକାର ଭିନ୍ନମୋଡ ନେବା ସହ ଦିଗହରା ହୋଇଯିବାର ସମ୍ଭାବନା ଦେଖାଦେଇଛି। ଗତମାସ ୯ ତାରିଖରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡରେ ଜଣେ ଯୁବକଙ୍କ ମୁଣ୍ଡବିହୀନ ଶବ ମିଳିଥିବା ବେଳେ ତାଙ୍କ ସହିତ ଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। ସଂପୃକ୍ତ ଯୁବତୀଙ୍କର ଚେତା ଫେରି ନଥିବାବେଳେ ତାଙ୍କର ପରିଚୟ ମଧ୍ୟ ମିଳି ପାରି ନଥିଲା। ଗୋଟିଏ ପଲ୍‌ସର ବାଇକରେ ଉମାଶଙ୍କର ରାୟ ନାମକ ଯୁବକଙ୍କ ସହ ଏହି ଯୁବତୀ ମେରାଇନ ଡ୍ରାଇଭ ରାସ୍ତାରେ ପୁରୀ ପଟକୁ ଯାଉଥିବା ସ୍ଥାନୀୟ ଲୋକ ଦେଖିଥିଲେ। କିଛି ସମୟ ପରେ ଯୁବକଙ୍କ ମୁଣ୍ଡ ବିହୀନ ଶବ ମିଳିଥିବା ବେଳେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିଲେ। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁ ବେଡ଼୍‌ ନମ୍ବର ୧ରେ ଚିକିତ୍ସିତ ଏହି ଯୁବତୀଙ୍କ ହାତରେ କୁଟାହୋଇଥିବା ଚିତ୍ରରେ ‘ଉଲ୍‌ମାରିଆ’ ବୋଲି ଲେଖାଥିଲା। କିନ୍ତୁ କିଛିଦିନ ତଳେ ଯୁବତୀର ହଠାତ୍‌ ଚେତା ଫେରିବା ପରେ ସେ ତାଙ୍କ ନାମ ରିୟା ବୋଲି କହିଥିଲେ। ତାଙ୍କ ଚିକିତ୍ସା ଅବହେଳା ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ସ୍ବେଚ୍ଛାସେବୀ ଅଚ୍ୟୁତ କୁମାର ସାହୁ ଓ ଦୀପକ ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ଏଥିସହ ଓଏଚ୍‌ଆରସି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଯୁବତୀଙ୍କ ମୃତ୍ୟୁପରେ ଏହି ଘଟଣା ଭିନ୍ନ ମୋଡ ନେଇଛି।

ସମ୍ବନ୍ଧିତ ଖବର