ମେରାଇନ୍ ଡ୍ରାଇଭରୁ ଯୁବକଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା : ରହସ୍ୟ ଖୋଲି‌ବେ ଯୁବତୀ

ଏବେ ବି ମିଳୁନି କଟାମୁଣ୍ଡ, ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଜବତ, ଦୁର୍ଘଟଣା ଘଟାଇଥିବା ଗାଡ଼ି ତମାଣ୍ଡୋର, ପୁଲିସ କହୁଛି ଦୁର୍ଘଟଣାରେ ମୁଣ୍ଡ ଖଣ୍ଡବିଖଣ୍ଡିତ ହୋଇଯାଇଛି

ପୁରୀ/‌କୋଣାର୍କ : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ ଜାଲି ଛକରେ ଯୁବକଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ମୃତ ଯୁବକଙ୍କ କଟା ମୁଣ୍ଡକୁ ଏପର୍ଯ୍ୟନ୍ତ ଜବତ କରିପାରିନି ପୁଲିସ। ଏହା ହତ୍ୟା ନା ଦୁର୍ଘଟଣା, ତାର ରହସ୍ୟ ଉନ୍ମୋଚନକୁ ଅନାଇ ବସିଛନ୍ତି ଲୋକେ। ସେପଟେ ପୁଲିସ ସନ୍ଦେହରେ ଥିଲେ ବି ଏହା ଏକ ଦୁର୍ଘଟଣା ବୋଲି ଯୁକ୍ତି ବାଢ଼ିଛି। ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ ଖଣ୍ଡବିଖଣ୍ଡିତ ହୋଇ ଯାଇଥିବା ରାମଚଣ୍ଡୀ ଥାନା ଅଧିକାରୀ ସଂଜୟ ନାୟକ ଯୁକ୍ତି ବାଢ଼ିଛନ୍ତି। ତଥାପି କାଳେ ଅନ୍ୟ କିଛି ରହସ୍ୟ ଥା‌ଇପାରେ ସେହି ସନ୍ଦେହରେ ଖୋଳତାଡ଼ ଜାରି ରଖିଛି ପୁଲିସ। ଅନ୍ୟପକ୍ଷରେ ମୃତ ଯୁବକଙ୍କ ସହ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବତୀଙ୍କର ଆଜି ସୁଦ୍ଧା ଚେତା ଫେରିନି। ଏଭଳି ପରିସ୍ଥିତିରେ ଯୁବତୀଙ୍କର ଚେତା ଫେରିଲେ ହିଁ ସତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

ଗତକାଲି ମୃତ ଯୁବକ ଉମାଶଙ୍କର ରାୟ (୨୬) ଓଆର-୦୨ଏଭି-୯୬୧୬ ନମ୍ବର ପଲସର୍‌ରେ ଉକ୍ତ ଯୁବତୀଙ୍କୁ ବସାଇ କୋଣାର୍କରୁ ପୁରୀ ଅଭିମୁଖେ ଆସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାର କିଛି ଘଣ୍ଟା ପରେ ଉମାଶଙ୍କର ମୁଣ୍ଡବିହୀନ ଶବ ଜାଲି ଛକରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖରେ ଯୁବତୀ ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇ ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ରାତିରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ବ୍ୟବଚ୍ଛେଦ ପରେ ଉମାଶଙ୍କରଙ୍କ ମୃତଦେହକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଗୁରୁତର ଯୁବତୀ ଜଣକ ଏବେ ଚିକିତ୍ସାଧୀନ ରହିଛନ୍ତି। ଚେତା ଫେରିନଥିବାରୁ ତାଙ୍କ ପରିଚୟ ମିଳିପାରିନି ବୋଲି ପୁଲିସ କହିଛି। ମୃତ ଉମାଶଙ୍କର ଅସ୍ତରଙ୍ଗ ଥାନାର କନଷ୍ଟେବଳ ସନ୍ତୋଷ ରାୟଙ୍କ ପୁଅ ବୋଲି ଜଣାପଡ଼ିଛି।

ଘଟଣା ସଂପର୍କରେ ରାମଚଣ୍ଡୀ ଥାନା ଅଧିକାରୀ ସଂଜୟ ନାୟକ କହିଛନ୍ତି, ଏହା ହତ୍ୟାକାଣ୍ଡ ନୁହେଁ, ଏକ ଦୁର୍ଘଟଣା। ସ୍ଥାନୀୟ ଲୋକେ ବି ଦୁର୍ଘଟଣାକୁ ଦେଖିଛନ୍ତି ଓ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ବି ଖସି ପଳାଇବାର ଦେଖିଛନ୍ତି। ଏହି ସ୍କର୍ପିଓର ନମ୍ବର ହେଉଛି ଓଆର୍‌-୦୨ଏଟି-୦୯୩୨। ଖୋଳତାଡ଼ ପରେ ଏହି ଗାଡ଼ି ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିବା ଏହି ସ୍କର୍ପିଓ ସହ ବାଇକ୍‌ ଏତେ ଜୋରରେ ଧକ୍କା ହୋଇଛି ଯେ ସେଥିରେ ଚାଳକ ଉମାଶଙ୍କରଙ୍କ ମୁଣ୍ଡ ଛତୁ ହୋଇଯାଇଛି। ଯାହାର ମାଂସ ଟୁକୁଡ଼ା ସଂଗ୍ରହ କରିବା କାଠିକର ପାଠ ହୋଇଛି। ଦୁର୍ଘଟଣା ପରେ ରାସ୍ତାରେ ମୁଣ୍ଡର ଦହି, ରକ୍ତ, ମାଂସ ଏଣେତେଣେ ପଡ଼ିଥିଲା। ଗାଡ଼ିର ଚକା ମୁଣ୍ଡ ଉପରେ ଚଢ଼ି ଯାଇଥିବା ଅନୁମାନ କରାଯାଉଛି। ଏଣୁ ମୁଣ୍ଡ କେଉଁ ଆଡ଼େ ଯାଇନି, ଦୁର୍ଘଟଣାରେ ଖଣ୍ଡବିଖଣ୍ଡିତ ହୋଇଯାଇଛି ବୋଲି ଥାନା ଅଧିକାରୀ ଯୁକ୍ତି ବାଢ଼ିଛନ୍ତି। ଗୁରୁତର ଯୁବତୀଙ୍କ ଚେତା ଫେରିଲେ ସତକଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର