କାଳୀ ମନ୍ଦିରରେ ନରବଳି! ମନ୍ଦିର ନିକଟ କୂଅରୁ ଯୁବକଙ୍କ ଶବ ଉଦ୍ଧାର, ମୁଖ୍ୟ ପୂଜକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ପରିବାର‌

କଂଟାବାଞ୍ଜି : କାଳୀପୂଜାର ଅନ୍ତିମ ଦିନରେ କାଳୀ ମନ୍ଦିରରେ ପଡ଼ିଛି ନରବଳି। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଥାନା ଖଗସ ପଂଚାୟତ ସାଲେପଡ଼ା ଗାଁରୁ। ଗ‌ାଁରେ ଥିବା କାଳୀ ମନ୍ଦିର ନିକଟ ଏକ କୂଅରୁ ମୁଖ୍ୟ ପୂଜକ ଚୌବନ କିଶୋର ମାଝୀଙ୍କ ଚେଲା ଭୁଜବଳ ପରାଭୋଇ (୪୫)ଙ୍କ ଶବ ଉଦ୍ଧାର କରାଯାଇଛି। ମୁଖ୍ୟ ପୂଜକ ଶ୍ରୀ ମାଝୀ ଓରଫ୍‌ ଚୌବନ ବାବାଙ୍କ ବିରୋଧରେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭି‌ଯୋଗ ଆଣିବା ପରେ ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ କଣ୍ଟାବାଞ୍ଜି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏ ଭଳି ଅଭିଯୋଗକୁ ଚୌବନ ବାବା ଅସ୍ବୀକାର କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ସକାଳୁ ଉକ୍ତ କାଳୀ ମନ୍ଦିର ନିକଟ କୂଅରେ କମେଇମୁଣ୍ଡା ପଂଚାୟତ ମାନ୍ଦଲା ଗାଁର ଭୁଜବଳଙ୍କ ଶବ ଭାସୁଥିବା ଖବର ମିଳିଥିଲା। ପୁଲିସ ଓ ଦମକଳ ବାହିନୀ

ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ତେବେ ଭୁଜବଳଙ୍କୁ ମୁଖ୍ୟ ପୂଜକ ଶ୍ରୀ ମାଝୀ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ପରିବାର ଲୋକେ ପୁଲିସକୁ ଶବ ଜବତ କରିବାକୁ ଦେଇନଥିଲେ। ପ୍ରଥମେ ହତ୍ୟାକାରୀକୁ ଗିରଫ କରାଯାଉ ତାପରେ ପରେ ଶବ ଉଠିବ ବୋଲି ଜିଦ୍‌ ଧରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ପ୍ରାୟ ୧ ଘଣ୍ଟା କାଳ ଉତ୍ତେଜନା ଲାଗି ରହିଥିଲା। ପୁଲିସ ବହୁ ବୁଝାସୁଝା କଲା ପରେ ପରିବାର ଲୋକେ ରାଜି ହୋଇଥିଲେ। ବ୍ୟବଚ୍ଛେଦ ପାଇଁ କଂଟାବାଞ୍ଜି ଡାକ୍ତରଖାନାକୁ ଶବ ନିଆଯାଇଥିଲା। ଏସବୁ ଭିତରେ ଶବ ଉଦ୍ଧାରକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କିଏ ଏହାକୁ ହତ୍ୟା ବୋଲି କହୁଛି ତ କିଏ ନରବଳି ବୋଲି ମଧ୍ୟ କହୁଛନ୍ତି। ପ୍ରକୃତରେ ଘଟଣା କଣ ସେ ସବୁ ପୁଲିସ ତଦନ୍ତରୁ ହିଁ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଦିଗ କଣ ହେବ ଜଣାପଡ଼ିବ ବୋଲି ପୁଲିସ କହିଛି।

ଚୌବନ ବାବା କିଏ?

ଚୌବନ କିଶୋର ମାଝୀ ଓରଫ ଚୌବନ ବାବା କହିଲେ ଆଖପାଖ ଗାଁ ଲୋକ ସମସ୍ତେ ଜାଣିଥାନ୍ତି। ଆଦିବାସୀ କଲ୍ୟାଣ ସଂଘର ଜଣେ ଆଗଧାଡ଼ିର ନେତା। ଗାଁରେ କାଳୀ ମନ୍ଦିର କରି ପୂଜାପାଠ କରନ୍ତି। ବାବାଙ୍କ ଅନେକ ଶିଷ୍ୟ ଅଛନ୍ତି। କାହାକୁ ଜ୍ୱର ହେଲେ ବା ଭୂତ ପ୍ରେତ ଲାଗିଲେ ବାବା ତନ୍ତ୍ରମନ୍ତ୍ର ଦ୍ବାରା ଠିକ୍‌ କରି ଦିଅନ୍ତି। ଦରକାର ପଡ଼ିଲେ ସେ ଫୋନ ଯୋଗେ କଥା ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ କରୁଥିବା ମଧ୍ୟ ଦାବି କରିଥାନ୍ତି।

ପ୍ରତି ବର୍ଷ ଭଳି ଏ ବର୍ଷ ବି ଏହି ମନ୍ଦିରରେ ଧୁମଧାମ୍‌ରେ କାଳୀପୂଜା ଉତ୍ସବ ପାଳିତ ହୋଇଥିଲା। ଆଖପାଖ ଗାଁର ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବାକୁ ଆସିଥିଲେ। ପୂଜାର ଶେଷ ଦିନ ମନ୍ଦିରରେ ବୋଦା ବଳି ଦିଆଯାଇଥାଏ। ଭୋଜିଭାତ ମଧ୍ୟ ହୋଇଥାଏ। ବାବାଙ୍କ ଶିଷ୍ୟମାନେ ଏଥିରେ ଭାଗ ନେଇଥାନ୍ତି। ଘଟଣା ଘଟିବା ପୂର୍ବଦିନ ମଧ୍ୟ ଏ ସବୁ ହୋଇଥିଲା। ଭୁଜବଳ ଚୌବନ ବାବାଙ୍କ ଶିଷ୍ୟ ଥିବାରୁ ତାଙ୍କୁ ମଧ୍ୟ ପୂଜାରେ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସେ ମନ୍ଦିରକୁ ଯାଇଥିଲେ ଏବଂ ସେଠାରେ ରାତ୍ରିଯାପନ ବି କରିଥିଲେ। ପୂଜା ସରିଲା ପରେ ସକାଳ ସମୟରେ ଆଉ ଭୁଜବଳଙ୍କ ଖୋଜ ଖବର ମିଳିଲା ନାହିଁ। ମୃତ ଭୁଜବଳଙ୍କ ସମ୍ପର୍କୀୟ ଭାଇ ଗୋକୁଳ ପରାଭୋଇ ଅଭିଯୋଗ କରିଛନ୍ତି ଯେ, ଚୌବନ ବାବା ତନ୍ତ୍ର ପୂଜା କରୁଥିଲେ। ଏହା ଆଖପାଖ ଗାଁ ଲୋକେ ଜାଣିଛନ୍ତି। ତାଙ୍କ ମନ୍ଦିରକୁ ହଜାର ହଜାର ଲୋକ ପୂଜା ପାଇଁ ଆସିଥାନ୍ତି। ତାଙ୍କ ଶିଷ୍ୟ ଭୁଜବଳ ମଧ୍ୟ ଏଭଳି ପୂଜାପାଠରେ ସିଦ୍ଧି ଲାଭ କରିଛନ୍ତି। ଭୁଜବଳ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ପୂଜାପାଠ କରି ଲୋକଙ୍କ ସମସ୍ୟା ସମାଧାନ କରି ଆସୁଥିଲେ। ଧୀରେ ଧୀରେ ଚୌବନ ବାବାଙ୍କ ଗୁରୁତ୍ବ କମି ଆସୁଥିବାରୁ ସେ ଏପରି କରିଛନ୍ତି ବୋଲି ଗୋକୁଳ ଅଭିଯୋଗ କରିଛନ୍ତି।

ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରି ଚୌବନ ବାବା କହିଛନ୍ତି ଯେ ଭୁଜବଳ ମୋର ଶିଷ୍ୟମାନଙ୍କ ମଧ୍ୟରେ ପ୍ରିୟ ଶିଷ୍ୟ। ପୂଜା ଦିନ ଗାଁରେ ଦଣ୍ଡ ନୃତ୍ୟ ହେଉଥିଲା। ସେହିଦିନ କଂଟାବାଞ୍ଜି ସହରରୁ କିଛି ଯୁବକ ଆସି ଗାଁରେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ତାକୁ କିଛି କରି ଦେଇଥାଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର