ଭୁବନେଶ୍ୱର: ମାଓବାଦୀ ସନ୍ଦେହରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଠାରୁ ଗୁରୁବାର ଗିରଫ ହୋଇ ପୁଲିସ ହେପାଜତରେ ଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି ବୋଲି  କେନ୍ଦ୍ରାଞ୍ଚଳ ଆଇଜିସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ‘ଯୁବକ ଜଣକ ହେଉଛନ୍ତି ସୁରେଶ। ସେ ନୂଆପଡ଼ା ଜିଲ୍ଲାର ପୋତଙ୍ଗି ଗ୍ରାମର ବାସିନ୍ଦା। ତାଙ୍କର ମାଓବାଦୀ ସଂଗଠନ ସହ କୌଣସି ସଂଯୋଗ ନାହିଁ।’

Advertisment

ଏସ୍‌ଓଜି ଦ୍ୱାରା ସର୍ଚ ଅପରେସନ୍‌ ଓ ଯାଞ୍ଚ୍‌ ହେବା ପରେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସୁରେଶ ହେଉଛନ୍ତି ଅାନ୍ଧ୍ରରେ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକ। ସେ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି କାମ ଖୋଜିବା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରୁ ଫେରିବା ବାଟରେ ସେ ଗଜଭୁଣ୍ଡିଆଠାରେ ଜଙ୍ଗଲରେ ଲୁଚି ରହିଥିଲେ।

ପୁଲିସ୍‌ ସୁରେଶଙ୍କର ମାଓବାଦୀ ସହ ସଂଯୋଗ ଅଛି କି ନାହିଁ ଜାଣିବା ପାଇଁ ବେଗୁନିଆ ଜଙ୍ଗଲରେ ସର୍ଚ ଅପରେସନ କରିଥିଲା। ଜଙ୍ଗଲରୁ ଯାହା ସବୁ ସାମଗ୍ରୀ ମିଳିଲା ଜଣେ ସାଧାରଣ ଲୋକର ଆବଶ୍ୟକୀୟ ସାମଗ୍ରୀ। ମାଓ କାରବାରରେ ଲିପ୍ତ ଥିବା ପରି କୌଣସି ସାମଗ୍ରୀ ପୁଲିସ୍‌ ହାତରେ ନ ଲାଗିବାରୁ ପୁଲିସ୍‌ ତଦନ୍ତ କରି ସୁରେଶ ନିର୍ଦୋଷ ବୋଲି ଜାଣିବାକୁ ପାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ବେଗୁନିଆଠାରେ ସୁରେଶଙ୍କୁ ମାଓବାଦୀ ବୋଲି ସନ୍ଦେହ କରି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ।