ଯୁବ ନେତୃତ୍ୱ ବିକାଶ ତାଲିମ୍‌ ଶିବିର ଉଦ୍‌ଯାପିତ

‘ମହିଳାମାନେ ଏକାଠି ହେବାକୁ ଆହ୍ଵାନ’

କୋରେଇ: ମଦ ବିରୋଧୀ ଅଭିଯାନ ହେଉ କି କଳୁଷିତ ରାଜନୀତି ବ୍ୟବସ୍ଥାରେ ସୁଧାରିବା ସହିତ ସମାଜର ବିକାଶ ପାଇଁ ମହିଳାମାନେ ଏକାଠି ହେବା ଆବଶ୍ୟକ। ଦାର୍ଶନିକ ଲେଲିନ୍‌ ମଧ୍ୟ ସମାଜର ବିକାଶ ପାଇଁ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ। ଏଠାରେ ଆୟୋଜିତ ଯୁବ ନେତୃତ୍ୱ ବିକାଶ ତାଲିମ୍‌ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଶଙ୍ଖଚିଲାସ୍ଥିତ ହିଙ୍ଗୁଳାଙ୍କ ପୀଠରେ ଏକତା ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ୍‌ ଶିବିରର ଆୟୋଜନ କରାଯାଇଥିଲା। ଆଜିଥିଲା ଏହାର ଉଦ୍‌ଯାପନୀ ଦିବସ। ଏଥିରେ ଯୋଗଦେଇ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ, ମହିଳାମାନେ ଆନ୍ଦୋଳନରେ ଭାଗ ନେଲେ ପରିବର୍ତନ ହୋଇପାରିବ। ସେହିଭଳି, ଅନ୍ୟମାନଙ୍କ ପାଇଁ ତଥା ସମାଜ ପାଇଁ ଯୁବକମାନେ ଚିନ୍ତା କରିବା ଉଚିତ୍‌। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗରିବ ଖଟିଖିଆଙ୍କ ପାଇଁ ଲଢ଼େଇ କରୁଥିବାରୁ ଏକତା ପରିଷଦକୁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ କହିଲେ ଯେ, ମହିଳାମାନେ ଦେଶର ଏକ ନିରବ ସଂଖ୍ୟା ଗରିଷ୍ଠ ବର୍ଗ ଏବଂ ସେମାନେ ମାତିଲେ ରାଜ୍ୟରୁ ନିଶା ବନ୍ଦ କରିବା ସହ ବହୁ ପରିବର୍ତନ ହୋଇପାରିବ। ମୁଖ୍ୟବକ୍ତା ଭାବେ ମାନବାଧିକାର ସଦସ୍ୟ ମନୋଜ ଜେନା ଯୋଗଦେଇ କହିଲେ ଯେ, ରାଜ୍ୟ ବିଧାନସଭାକୁ ଅଧିକରୁ ଅଧିକ ଯୁବ ଓ ମହିଳା ନେତୃତ୍ୱ ଯିବା ଦରକାର। ଏକତା ପରିଷଦର ଜିଲ୍ଲା ସଂଯୋଜକ ଅକ୍ଷୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ, ଏକତା ପରିଷଦର ଜାତୀୟ ସଂଯୋଜକ ଭରତ ଭୂଷଣ ଠାକୁର, ଜିଲ୍ଲା ସଭାପତି ଗୟାଧର ମଲିକ, ଏକତା କଳାମଞ୍ଚ ସଭାପତି ପ୍ରଭାସିନୀ ରାଉତ, ସମାଜସେବୀ ଆର୍‌. ଏନ୍‌ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର