ବାସୁଦେବପୁର/ବିଦେଇପୁର : ନିର୍ବାଚନ ସମୟରେ ତିହିଡି ମଦମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ୪ ମାସ ପରେ ପୁଣି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ ମଦମୃତ୍ୟୁ ହୋଇଛି। ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ କଶିଆ ସାମୁଦ୍ରିକ ଥାନା ଅଧୀନରେ ଥିବା ସାନକୃଷ୍ଣପୁର ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୩୮)ଙ୍କ ଗତକାଲି ରାତିରେ ମଦ ପିଇବା ଯୋଗୁ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

publive-image

ସୂଚନା ଅନୁସାରେ; ଗତକାଲି ନାରାୟଣ ପାରାପୋଖରୀ ଗାଁରେ ବିକ୍ରି ହେଉଥିବା ଚୋରା ମଦ ପିଇ ଘରକୁ ଫେରିଥିଲେ। ଘରେ ହଠାତ ବାନ୍ତି କରିିବା ସହ ସ˚ଜ୍ଞାହୀନ ଭାବେ ତଳେ ପଡିଯାଇଥିଲା। ଗ୍ରାମବାସୀ ଓ ପରିବାର ନାରାୟଣଙ୍କୁ ସ˚ଜ୍ଞାହୀନ ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ପରେ ଭଦ୍ରକ ‌େମଡ଼ିକାଲ ନେଇଥିଲେ। ଭଦ୍ରକରେ ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଚୋରାମଦ କାରବାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଥିଲା। ରବିବାର ରାତିରୁ ଶତାଧିକ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ଆଜି ସକାଳେ ନାରାୟଣଙ୍କ ପରିବାରକୁ କ୍ଷତିପୂରଣ, ଗାଁରେ ଛତୁ ଫୁଟିବା ପରି ଚାଲିଥିବା ଚୋରା ମଦ କାରବାର ବନ୍ଦ କରିବା ଦାବିରେ ଶତାଧିକ ଉତ୍ୟକ୍ତ ଗ୍ରାମବାସୀ ବାସୁଦେବପୁର-ଧାମରା ରାସ୍ତାର ଚାନ୍ଦିମାଳ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିବା ସହ ପୁଲିସ ପ୍ରଶାସନକୁ ଦାୟୀ କରିଥିଲେ। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ଭଦ୍ରକ ଉପଖଣ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି ସମେତ କଶିଆ ସାମୁଦ୍ରିକ ଥାନା, ନାୟକାଣିଡିହି ଥାନ, ଚୁଡ଼ାମଣି ସାମୁଦ୍ରିକ ଥାନା ଓ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀଙ୍କ ଦାବି ଅନୁସାରେ ପୁଲିସ ଗାଁର ବିଭିନ୍ନ ସ୍ଥାନରେ ଥିବା ଦୋକାନରେ ଚଢ଼ଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଥିଲା। ଉପଖଣ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜାଲି ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଚୋରାମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।